ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସ୍ୱତନ୍ତ୍ର ବିମାନରେ ଶନିବାର ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବେ। ଏହାପରେ ରାଷ୍ଟ୍ରପତି ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବେ। ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ କୋବିନ୍ଦ ଯୋଗଦେବେ। ପରେ ସେଠାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ। ୨୨ ତାରିଖରେ ଇଣ୍ଡିଆ ଅଏଲ ଫାଉଣ୍ଡେସନ୍‌ ଟ୍ରଷ୍ଟର କୋଣାର୍କଠାରେ ଥିବା ଇଣ୍ଟରପ୍ରିଟେସନ୍‌ ସେଣ୍ଟରକୁ ପରିଦର୍ଶନ କରିବେ। ସେହିଦିନ ଭୁବନେଶ୍ୱର ଆସି ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି ।

ସୂଚନା ଯେ, ଶନିବାର ସନ୍ଧ୍ୟା ୬ଟା୨୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୬ଟା ୩୫ରେ ଭୁବନେଶ୍ୱର ରାଜଭବନ ପହଞ୍ଚିବେ ରାଷ୍ଟ୍ରପତି । ୨୧ତାରିଖ ସକାଳ ୮ଟା ୪୦ରେ ଭୁବନେଶ୍ୱରରୁ ବାହାରି ଝାରସୁଗୁଡ଼ା ଏୟାରପୋର୍ଟରେ ସକାଳ ୯ଟା ୪୫ରେ ପହଞ୍ଚିବେ । ସେଠାରୁ ୯ଟା ୫୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାହାରିବେ । ରାଉରକେଲା ଏୟାରଷ୍ଟ୍ରିପ୍ ରେ ୧୦ଟା ୩୫ରେ ପହଞ୍ଚି, ୧୦ଟା ୫୫ରେ ଏନ.ଆଇ.ଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହାପରେ ଅପରାହ୍ନ ୩ଟା ୪୫ରେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ। ସେଠାରୁ ଫେରି ପୁଣି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ୨୨ ତାରିଖ ସକାଳ ୮ଟା ୪୫ରେ ପୁରୀ ହେଲିପ୍ଯାଡ୍ ରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ ଯାଏ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ଏହାପରେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ସେହିପରି ପୂର୍ବାହ୍ନ ୧୧ଟା ୨୦ରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲି ଦେଖିବେ । ପୂର୍ବାହ୍ନ ୧୧ଟା ୩୦ରୁ ୧୨ଟା ଯାଏ ଇଣ୍ଡିଆନ ଅୟେଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ । ଅପରାହ୍ନ ୪ଟା ୪୫ରେ ଭୁବନେଶ୍ୱର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାତ୍ରା କରିବେ ବୋଲି ସୂଚନା ରହିଛି ।

Spread the love