ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ୫ ଗୁରୁତର

ନବରଙ୍ଗପୁର : ପୁଣି ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରର ଷୋମପେଟା ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ନାମକ ଘରୋଇ ବସର ଭୋର ପ୍ରାୟ ୪ଟା ବେଳେ ଆନ୍ଧ୍ରର ବାରୁଆ ଥାନା ଅନ୍ତର୍ଗତ କୋରଲାମ–ଭେସି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଛ ପଟୁ ପୁଣି ଏକ ଟ୍ରକ ଆସି ପିଟି ହୋଇଥିଲା। ଯାହା ଫଳରେ ବସର ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ବାରୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ବସରେ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୩୫ ଜଣ ଥିବାର ସୂଚନା ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ ଟି ଭାଙ୍ଗି ଚୁରମାର ହୋଇଯାଇଛି ।

Spread the love