ରାଜ୍ୟରେ ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା !

ଭୁବନେଶ୍ୱର : ରାଜ୍ୟରେ ପାଣିପାଗରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଖରା ପ୍ରକୋପ ସାମାନ୍ୟ କମିଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀ ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି । ଶନିବାର ମାଲକାନଗିରି ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଭୁବନେଶ୍ୱର ୩୮.୯, ବାରିପଦା ୩୮.୮, ତାଳଚେର ୩୮.୫, ବୌଦ୍ଧ ୩୮, ସୋନପୁର ୩୭.୮, ଗୋପାଳପୁର ୩୭.୪, କଟକ ୩୭, ଟିଟିଲାଗଡ଼ ୩୭ ଡିଗ୍ରୀ ଥିଲା । ଦିନବେଳା ଝାରସୁଗୁଡ଼ାରେ କାଳବୈଶାଖୀଜନିତ ବର୍ଷା ହୋଇଥିଲା ।

୨୧ ତାରିଖ ରବିବାର ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବରଗଡ, ନୂଆପଡା, ସୁନ୍ଦରଗଡ,କେନ୍ଦୁଝର, ମୟୁରଭଂଜ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ସହ କାଳବୈଶାଖୀର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେତେକ ସ୍ଥାନରେ ବଜ୍ରପାତ ଆଶଙ୍କା ଅଛି । ସେହିପରି ଆସନ୍ତା ୨୨, ୨୩, ୨୪ ଓ ୨୫ ତାରିଖରେ ମଧ୍ୟ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Spread the love