ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : କିଛି ଦିନ ମଧ୍ୟରେ ହଠାତ୍ ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ରାଜ୍ୟକୁ ଆସିଥିବା ନୂଆ ଷ୍ଟ୍ରେନ ପାଇଁ ଏଭଳି ହେଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ ବର୍ତମାନ ଯେଉଁ ନୂଆ ଷ୍ଟ୍ରେନ ଆସିଛି, ତାହା ଅଧିକ ସଂକ୍ରାମକ । ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି, ସେଠି ସଂକ୍ରମଣ ବଢୁଛି । ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛନ୍ତି । ନୂଆପଡା ଜିଲ୍ଲାରେ କେତେ ଲୋକ ଟିକା ନେଲାପରେ ସଂକ୍ରମିତ ହେଉଛନ୍ତି, ସେ ନେଇ ଏକ ସର୍ଭେ କରାଯାଉଛି । ଗତକାଲି ୨ଲକ୍ଷ ୫୨ହଜାର ଟିକାକରଣ କରାଯାଇଛି । ଯେତିକି ଟିକା ଗଚ୍ଛିତ ଅଛି, ତାହା ଆଉ ୪ଦିନ ଯିବ । ତେଣୁ କେନ୍ଦ୍ରକୁ ଅଧିକ ଟିକା ଦେବା ପାଇଁ ଚିଠି ଲେଖାଯାଇଛି । ଆଗାମୀ ୧୫ଦିନ ପାଇଁ ଟିକାକରଣ ହୋଇପାରିବା ଭଳି ଟିକା ଦେବା ପାଇଁ କୁହାଯାଇଛି । ସମୁଦାୟ ୨୮,୬୬,୨୫୫ ଜଣଙ୍କୁ ଟିକା ଦିଆଯାଇଛି । ଏବେ ପର୍ଯ୍ୟନ୍ତ ଲକଡାଉନ ସ୍ଥିତି ଆସି ନାହିଁ । ସଂକ୍ରମଣ ବଢ଼ିଲେ କୌଣସି ମୁହୂର୍ତରେ ଆବଶ୍ୟକ ଥିବାରୁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି ।

Spread the love