ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଅଧିକ

ଭୁବନେଶ୍ୱର : କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ କେରଳରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିଛି । ଗୁରୁବାର ସକାଳୁ ବର୍ଷା ପ୍ରକୋପ କମିଛି । ଦକ୍ଷିଣ-ପୂର୍ବ ଆରବ ସାଗରରେ ଘୂର୍ଣ୍ଣିବଳୟ ଥିବାରୁ ପଶ୍ଚିମ ଦିଗରୁ ପବନ ବାଧାପ୍ରାପ୍ତ ହେଉଛି । ଏଥିଯୋଗୁ ମୌସୁମୀ ପ୍ରବାହ ତ୍ୱରାନ୍ୱିତ ନଥିବାରୁ ବର୍ଷା କମ୍‌ ରହିଛି । ଓଡ଼ିଶା ପାଇଁ ଭଲ ଖବର ହେଲା, ଏଥର ମୌସୁମୀ ଡେରି କରିବନି। ସ୍ୱାଭାବିକ ସମୟ କିମ୍ବା ସାମାନ୍ୟ ଆଗୁଆ ଆସିପାରେ । ଆଗାମୀ ୭-୮ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଅର୍ଥାତ୍‌ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଅଧିକ ।

ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ପହଞ୍ଚିବ । ସମ୍ଭବତଃ ରଜ ପୂର୍ବରୁ (୧୦ରୁ ୧୨ ତାରିଖ ଭିତରେ) ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ । ଓଡ଼ିଶାକୁ ମୌସୁମୀ ଆଣିବାରେ ସହାୟକ ହେବ ଲଘୁଚାପ । ଅନୁମାନ କରାଯାଉଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ବି ହୋଇପାରେ । ଏହା ଓଡ଼ିଶାକୁ ମୌସୁମୀ ବର୍ଷା ନେଇ ଆସିବା ସମ୍ଭାବନା ଅଛି ।

Spread the love