ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଭିଡ୍‌ରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ବାହାର ରାଜ୍ୟରେ ଅମ୍ଳଜାନର କେତେ ଆବଶ୍ୟକତା ରହିଛି ତାହା ଲୋକେ ଜାଣନ୍ତି । ଏହାରି ଭିତରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟା ଷ୍ଟିଲ୍ କାରଖାନାରୁ ଗଡିଛି ଆଠଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର । ଆଗେ ଆଗେ ଚାଲିଥିଲା ପୋଲିସ୍‌ର ଏସ୍‌କୋର୍ଟ ଭ୍ୟାନ୍ । ଯାଜପୁର ପୋଲିସ୍‌ର ଏସ୍‌କୋର୍ଟ ଗାଡିରେ ପ୍ରଥମ ପର୍ଯ୍ୟାୟର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପ୍ରଦେଶର ଭାଇଜାଗ ଅଭିମୁଖେ ଯାଇଛି ଗାଡି । ସେହିପରି ରାଉରକେଲାର ଷ୍ଟିଲ୍‌ପ୍ଲାଂଟରୁ ପର୍ଯ୍ୟାୟକ୍ରମେ ୮ଟି ଅକ୍ସିଜେନ୍ ଟ୍ୟାଙ୍କର ଜବଳପୁର ଓ ଭୋପାଳକୁ ଯାଇଛି । ରାଉରକେଲା ପୋଲିସ୍‌ର ଏସ୍‌କୋର୍ଟ ଗାଡି ଲୋହାରଚଟି ଚେକ୍‌ଗେଟ୍ ପର୍ଯ୍ୟନ୍ତ ଏହି ଟ୍ୟାଙ୍କର ଗୁଡିକୁ ନେଇଯାଇଥିଲା । ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ଓ ଆନ୍ଧ୍ରପ୍ରଦେଶ ଭଳି ୬ଟି ରାଜ୍ୟକୁ ଓଡ଼ିଶା ଏକ ସାଙ୍ଗରେ ଅକ୍ସିଜେନ୍ ଯୋଗାଣ ଆରମ୍ଭ କରିଛି । ସେହିପରି ଆଜି ତେଲେଙ୍ଗାନାର ବେଗମ୍‌ପେଟ୍ ସାମରିକ ବିମାନ ବନ୍ଦରରୁ ଦୁଇଟି ଏନ୍ ୧୭ ଯୁଦ୍ଧ ବିମାନରେ ଅନୁଗୁଳରୁ ଅକ୍ସିଜେନ୍ ଟ୍ୟାଙ୍କର ଯାଇଛି । ରାଜ୍ୟସରକାର ଦେଶରେ ଅକ୍ସିଜେନ୍ ଅଭାବ ହେଲେ ଯୋଗାଇଦେବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି । ଓଡ଼ିଶାର ବଳକା ୪୦ଟନ୍ ଅମ୍ଳଜାନ ୬ଟି ଅଭାବୀ ରାଜ୍ୟକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଖୋଲିଥିବା ସ୍ୱତନ୍ତ୍ର ସେଲ୍ ଏହା ଉପରେ ବରାବର ନଜର ରଖିଛି । ଅକ୍ସିଜେନ୍ ଶଙ୍କଟର ମୁକାବିଲା ପାଇଁ ଆବଶ୍ୟକ ହେଲେ ଦିଲ୍ଲୀକୁ ଜରୁରୀକାଳୀନ ଭିତିରେ ଆଉ ୨୩ମେଟ୍ରିକ୍‌ଟନ୍ ତରଳ ମେଡିକାଲ ଅମ୍ଳଜାନ ପଠାଯିବ । ଅନୁଗୁଳର ଜେଏସ୍‌ପିଏଲ୍‌, କଳିଙ୍ଗନଗରର ଟାଟାଷ୍ଟିଲ୍‌, ଢେଙ୍କାନାଳର ଟାଟା ଭୁଷଣ, କଳିଙ୍ଗନଗରର ସେଏସ୍‌ଏଲ୍ ଭଳି ଶୀଳ୍ପାନୁଷ୍ଠାନ ଗୁଡିକୁ ବର୍ତମାନ ୨୪ଘଂଟିଆ ଅକ୍ସିଜେନ୍ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଡିଗୁଡିକୁ କୌଣସି ରାଜ୍ୟର ପୋଲିସ୍ କିମ୍ବା ଆରଟିଓ ଅଟକାଇ ପାରିବେ ନାହିଁ ।

ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନବୀନ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ ଟୁଇଟ କରି ଲେଖିଛନ୍ତି ଯେ ଫୋନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସଂକଟ ସମୟରେ ମହାରାଷ୍ଟ୍ର ସହ ଓଡ଼ିଶା ଛିଡ଼ା ହୋଇଥିବାରୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି ।

Spread the love