ମେ’ ୧ରୁ ଝାରସୁଗୁଡ଼ା-ପାଟନା ବିମାନସେବା ଆରମ୍ଭ

ଝାରସୁଗୁଡ଼ା : ଆସନ୍ତା ମେ ମାସ ପହିଲାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ।

ଝାରସୁଗୁଡ଼ା ସମୟକ୍ରମେ ଦେଶର ପ୍ରମୁଖ ସହର ଗୁଡ଼ିକ ସହ ଆକାଶ ମାର୍ଗରେ ଯୋଡ଼ି ହେବା ସହ ପଶ୍ଚିମ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ର ସୀମାନ୍ତ ଅଂଚଳବାସୀଙ୍କ ପାଇଁ ବିମାନସେବା କ୍ଷେତ୍ରରେ ଏକ ପସନ୍ଦଯୋଗ୍ୟ ବିମାନବନ୍ଦର ହେବାକୁ ବସିଛି । ସୂଚନାନୁଯାୟୀ ସ୍ପାଇସଜେଟ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ୪୦୦ ପାଟନାରୁ ବାହାରି ଝାରସୁଗୁଡ଼ା ଠାରେ ପ୍ରତ୍ୟହ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ପହଂଚିବା ସହ ଅପରାହ୍ନ ୪ଟା ୫୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ । ପାଟନାରୁ ଏହି ବିମାନ ଗୁଆହାଟି ଅଭିମୁଖେ ଉଡ଼ିବ । ଝାରସୁଗୁଡ଼ାରୁ ଗୁଆହାଟିକୁ ମଧ୍ୟ ଯାତ୍ରୀମାନେ ଯାତାୟାତ କରିବା ଦିଗରେ ଏହି ବିମାନ ସହାୟକ ହେବ । ଉତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Spread the love