ହରିଦ୍ୱାର କୁମ୍ଭରେ ଆଜି ପବିତ୍ର ସ୍ନାନ

ନୂଆଦିଲ୍ଲୀ : ମହାଶିବରାତ୍ରୀ ଅବସରରେ ଆଜି ହରିଦ୍ୱାର କୁମ୍ଭର ପ୍ରଥମ ସାହି ସ୍ନାନ ସହ ବିଧିବଦ୍ଧ ଭାବେ କୁମ୍ଭମେଳାର ଶୁଭାରମ୍ଭ ହେବ । ଏଥି ପାଇଁ ଆଜି ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା, ଅଗ୍ନି ଆଖଡ଼ା ଓ କିନ୍ନର ଆଖଡ଼ା ଦିନ ୧୧ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବାକୁ ପହଞ୍ଚିବେ । ଏହା ପରେ ନିରଞ୍ଜନୀ ଆଖଡା ଓ ଆନନ୍ଦ ଆଖଡ଼ା ଦିନ ୧ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ । ଶେଷରେ ମହାନିର୍ବାଣୀ ଆଖଡ଼ା ଓ ଅଟଳ ଆଖଡା ଅପରାହ୍ନ ୪ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ । ନାଗା-ସାଧୁଙ୍କ ଶାହୀ ସ୍ନାନକ ଲାଗି ଆଗମନକୁ ଦୃଷ୍ଟିରେ ରଖି ସକାଳ ୭ଟାରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ସ୍ନାନ କରିବାକୁ ପ୍ରଶସନ ଅନୁମତି ଦେଇଛି । ଏହା ପରେ ହର କି ପୌଡ଼ିକୁ ଖାଲି କରି ଦିଆଯିବ । ଘାଟଗୁଡ଼ିକ ସଫା କରାଯିବ ଏବଂ ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲଗାଯିବ । ମହାକୁମ୍ଭର ଶାହୀ ସ୍ନାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ମେଳା କ୍ଷେତ୍ରକୁ ୩ଟି ସୁପର ଜୋନ, ୯ଟି ଜୋନ ଓ ୨୫ଟି ସେକ୍ଟରରେ ବଣ୍ଟା ଯାଇଛି । ସେହିପରି ବ୍ୟାପକ ପରିମାଣରେ ପୋଲିସ ମୁତୟନ କରାଯାଇଛି ।

ବିଗତ ଦୁଇଟି କୁମ୍ଭମେଳା ଉଜ୍ଜୈନ ଏବଂ ପ୍ରୟାଗ ଭଳି, ଚଳିତ ଥର ହରିଦ୍ୱାରରେ, ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ନେତୃତ୍ବରେ ଭାରତୀୟ କିନ୍ନର ଆଖଡାର ଶୋଭାଯାତ୍ରା ଆକର୍ଷଣର କେନ୍ଦ୍ର ହେବ ବୋଲି ବିବେଚନା କରାଯାଉଛି । ସ୍ଥାନୀୟ ଲୋକ ତଥା ବାହାରୁ ଆସିଥିବା ଭକ୍ତଙ୍କ ମଧ୍ୟରେ ମହାମଣ୍ଡଳେଶ୍ବରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ଅନ୍ୟ ଆଖଡା ଗୁଡିକରେ ଭକ୍ତଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ହରିଦ୍ୱାରରେ ପ୍ରତି ୧୨ ବର୍ଷରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ଚଳିତ ଥର ୧୧ ବର୍ଷ ପରେ ଏହା ଆୟୋଜିତ ହେଉଛି। କାରଣ ୨୦୨୨ ମସିହାରେ ବୃହସ୍ପତି କୁମ୍ଭ ରାଶିରେ ରହିବେ ନାହିଁ, ଯାହା ଚଳିତ ବର୍ଷ ପଡିଛି । ସାମାଜିକ ମାନ୍ୟତା ଅନୁଯାୟୀ, ମେଷ ରାଶିରେ ସୂର୍ଯ୍ୟ ଏବଂ କୁମ୍ଭ ରାଶିରେ ବୃହସ୍ପତିଙ୍କ ଆଗମନରେ ମହାକୁମ୍ଭ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।
ସୂଚନା ଯେ, ଦେଶର ଚାରୋଟି ନଗରୀରେ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ। ହରିଦ୍ୱାର, ପ୍ରୟାଗ, ନାଶିକ୍ ଏବଂ ଉଜ୍ଜୈନ । ଚାରିଟି ନଗରୀରେ ପାଳନ କରାଯାଉଥିବା କୁମ୍ଭ ମେଳାର ବିଶେଷତ୍ବ ରହିଛି। ଗୋଟିଏ ପଟେ ନାଶିକ୍ ଏବଂ ଉଜ୍ଜୈନର କୁମ୍ଭକୁ ସାଧାରଣତଃ ସିଂହସ୍ଥ କୁହାଯାଏ, ଅନ୍ୟପକ୍ଷରେ ହରିଦ୍ୱାର ଓ ପ୍ରୟାଗରେ ଅର୍ଦ୍ଧ କୁମ୍ଭ ଏବଂ ମହାକୁମ୍ଭ ମେଳା ଆୟୋଜିତ ହୋଇଥାଏ। ଅନ୍ୟପକ୍ଷରେ ସମଗ୍ର ଦେଶରେ ଆଜି ପବିତ ଶିବରାତ୍ରୀ ପାଳନ ହେଉଛି । କିନ୍ତୁ କୋଭିଡ କଟକଣା ସହିତ ପାଳନ କରାଯାଉଛି । ଆଜି ସକାଳୁ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ କାଶୀ ବିଶ୍ୱନାଥଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି । କିନ୍ତୁ ମହାରାଷ୍ଟ୍ରର ନାସିକରେ ଥିବା ତ୍ରୟମ୍ବକେଶ୍ୱର ଓ ମୁମ୍ବାଇର ବବୁଲନାଥ ମନ୍ଦିରରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ଭକ୍ତଙ୍କୁ ବାରଣ କରାଯାଇଛି । ଠିକ ସେହିପରି ଦେଶର ଅନ୍ୟ ଶିବାଳୟ ଗୁଡ଼ିକରେ ମଧ୍ୟ କୋଭିଡ-୧୯କୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଚାଲିଛି ।

Spread the love