‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନଲାଇନରେ ଆବେଦନ କରିପାରିବେ ଆର୍ଥିକ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍ ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ରାଜ୍ୟ ସରକାର ଏକ ନୂତନ ୱେବ୍‌ସାଇଟ୍ ର ଆରମ୍ଭ କରିଛନ୍ତି । ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଭର୍ଚୁଆଲ ମୋଡ୍ ରେ ଏହାର ଉନ୍ମୋଚନ କରିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ www.opid.odisha.gov.inରେ ଆବେଦନ କରିପାରିବେ । କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍ ଲାଇନ୍ ରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରିପାରିବେ । ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ଠିକଣା ରାଜ୍ୟ ସରକାରଙ୍କ ଡବ୍ଲୁଡବ୍ଲୁଡବ୍ଲୁ .ଓଡିଶା .ଜିଓଭି .ଇନ୍ ସାଇଟ୍ ରେ ଉପଲବ୍ଧ ଅଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍ ଇଷ୍ଟେଟସ୍ ଓ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍ ଯୋଜନାରେ ବସୋପଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି(ପ୍ଲଟ୍‌) ନପାଇ କିମ୍ବା ଜମାରାଶି ଫେରସ୍ତ ନପାଇ କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍ ମାଧ୍ୟମରେ ଜୁନ ୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ୱାନ କରାଯାଉଛି । ଜମାକାରୀମାନେ ଅନ୍‌ଲାଇନ୍ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।ଏହା ପରେ ଜମାକାରୀମାନଙ୍କ ଅର୍ଥ ଆତ୍ମସାତ୍ କରିଥିବା ଯେଉଁସବୁ ପ୍ରତିଷ୍ଠାନର ଜବତ ସ୍ଥାବର ଓ ଅସ୍ଥାବର ସଂପତି ବାଜ୍ୟାପ୍ତ ନିମିତ ସରକାର ଦେଇଥିବା ଅନ୍ତରୀଣ କୋରଖ ଆଦେଶକୁ ପଦନାମିତ ନ୍ୟାୟାଳୟମାନେ ନିରଙ୍କୁଶ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେହିସବୁ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନଲାଇନ୍ ଦାବି ଦରଖାସ୍ତ ଆହ୍ୱାନ କରାଯିବ ।

ପୂର୍ବରୁ ମେସର୍ସ ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍ ଲାଇନ୍ ରେ ଦାବି ଆବେଦନ ଆହ୍ୱାନ କରାଯାଇଥିଲା । ସେହିସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର ଡିଜିଟାଇଜେସନ୍‌, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍ ଆଦି କାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ ୱେବ୍‌ସାଇଟ୍ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର (ଓକାକ୍‌) ଜରିଆରେ ଡିଜାଇନ କରିଛନ୍ତି । ଏହି ୱେବ୍‌ସାଇଟ୍ ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତଥା କ୍ଷମତାସଂପନ୍ନ ପ୍ରାଧିକାରୀ, କଟକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚବି ଚିତରଞ୍ଜନ ହୋତା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଏସ୍‌.ପି ଜ୍ଞାନରଞ୍ଜନ ମହାନ୍ତି, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର ଜେନେରାଲ୍ ମ୍ୟାନେଜର (ପ୍ରଶାସନ) ମଧୁମିତା ରଥ, ସ୍ୱତନ୍ତ୍ର ସରକାରୀ ଓକିଲ, କଟକ ସୁବ୍ରତ କୁମାର ମହାନ୍ତି, ଅର୍ଥ ବିଭାଗର ଅନୁଶାସନ ସଚିବ ଅଶୋକ କୁମାର ମିଶ୍ର ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟରର ସିଷ୍ଟମ୍ ଆନାଲିଷ୍ଟ ସୁବ୍ରତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love