ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ୨୦୨୨ ସଂସ୍କରଣର ତାରିଖ ଘୋଷଣା

ଭୁବନେଶ୍ୱର : ମହାମାରୀ କରୋନା କାୟା ଯୋଗୁ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ୨୦୨୦ ସଂସ୍କରଣ ବାତିଲ ହୋଇଥିଲା । ଫଳରେ ୨୦୨୨ ସଂସ୍କରଣର ଆୟୋଜନ ଅଧିକାର ମଧ୍ୟ ଭାରତକୁ ପ୍ରଦାନ କରିଥିଲା ଫିଫା । ଏନେଇ ଏବେ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରାଯାଇଛି । ଫିଫା କାଉନସିଲର ସ୍ୱୀକୃତିକ୍ରମେ ବିଶ୍ୱକପ୍‌ର ୨୦୨୨ ସଂସ୍କରଣ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍‌ ୩୦ ତାରିଖରେ ଖେଳାଯିବ । ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ କ୍ରୀଡ଼ାସୂଚୀ ପ୍ରକାଶ ପାଇବ । ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌)ର ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି, ବିଶ୍ୱକପ୍‌-୨୦୨୨ର ତାରିଖ ଘୋଷଣା ହୋଇଛି । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୧ରୁ ୩୦ ଯାଏ ଖେଳାଯିବ । ପୂର୍ବ ସଂସ୍କରଣରୁ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । କରୋନା ସ୍ଥିତିରେ ସୁଧାର ଆସିଲେ ମହିଳା ଫୁଟବଲକୁ ନେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସହ ବିଶ୍ୱକପ୍‌ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେବ ।

‘ପୂର୍ବରୁ ୨୦୧୭ରେ ଭାରତ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ଆୟୋଜନରେ ବେଶ୍‌ ସଫଳତା ହାସଲ କରିଥିଲା ଏବଂ ଫିଫା ଆୟୋଜନରେ ଖୁସି ହୋଇ ପ୍ରଶଂସା କରିଥିଲା । ତେଣୁ ଭାରତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ଅଧିକାର ପାଇଥିଲା । ୨୦୨୦ ସଂସ୍କରଣ ପ୍ରଥମେ ନଭେମ୍ବର ୨ରୁ ଆରମ୍ଭ ହେବାର ଥିଲା । ମାତ୍ର ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇ ପୁନଃସୂଚୀ ଘୋଷଣା କରାଯାଇଥିଲା । ପୁନଃସୂଚୀ ଅନୁସାରେ ଗତ ଫେବ୍ରୁଆରୀ ୧୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଥିଲା । ମହାମାରୀ ପାଇଁ ଶେଷରେ ଫିଫା ଗତ ନଭେମ୍ବର ୧୭ ତାରିଖରେ ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ ବାତିଲ ଘୋଷଣା କରିଥିଲା । ଫିଫାର ଆଞ୍ଚଳିକ ଆୟୋଜନ କମିଟି (ଏଲ୍‌ଓସି)ର ତତ୍‌ୱାବଧାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଭେନ୍ୟୁର ପୁନଃରୁଦ୍ଧାର ସାଙ୍ଗକୁ ସଂପୂର୍ଣ୍ଣ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା ସରିଥିଲା । ମୋଟ୍‌ ୫ଟି ଭେନ୍ୟୁରେ ବିଶ୍ୱକପ୍‌ ଖେଳାଯିବାର ସ୍ଥିର ହୋଇଥିଲା । ତନ୍‌ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏକ ପ୍ରମୁଖ ଭେନ୍ୟୁ ଭାବେ ଗୋଟିଏ ସେମି ଫାଇନାଲ ସହ ମୋଟ୍‌ ୮ଟି ମ୍ୟାଚ୍‌ ଆୟୋଜନ ନେଇ ପ୍ରସ୍ତୁତ ହୋଇ ରହିଥିଲା । ୨୦୨୨ ସଂସ୍କରଣ ପାଇଁ ପୂର୍ବଭଳି ଭେନ୍ୟୁ ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଭୁବନେଶ୍ୱର, ନଭି ମୁମ୍ବାଇ, କୋଲକାତା, ଗୌହାଟୀ ଓ ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବ । ଆୟୋଜକ ଭାବେ ଭାରତୀୟ ଦଳ ବିଶ୍ୱକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରି ସାରିଛି । ଅବଶିଷ୍ଟ ୧୫ଟି ଦଳ ୫ଟି କନଫଡରେସନରୁ ଯୋଗ୍ୟତା ହାସଲ କରିବେ । ୨୦୧୮ ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା ।

Spread the love