ଜେଲ୍ ପରିଦର୍ଶନ କରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଅଚାନକ ଜେଲ୍ ପରିଦର୍ଶନ କରିବେ ଜିଲ୍ଲାପାଳ । ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ମାସେ ଭିତରେ ଜେଲ୍ ପରିଦର୍ଶନ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶରେ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରିକରିଛନ୍ତି । ଜିଲ୍ଲାପାଳଙ୍କୁ ଅଚାନକ ଜେଲ୍ ପରିଦର୍ଶନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୧୬ ଭିତରେ ଜେଲ୍ ପରିଦର୍ଶନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ନିଜ ଅଞ୍ଚଳରେ ଥିବା ସମସ୍ତ ଜେଲ୍ ପରିଦର୍ଶନ କରି ଜେଲ୍‌ର ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ, ଆବାସ ଓ ଚିତ୍ତବିନୋଦନ ପ୍ରସଙ୍ଗରେ ଅନୁଧ୍ୟାନ କରିବେ । ସେହିପରି ରାଜ୍ୟର ସମସ୍ତ ଜିଲ୍ଲା କାରାଗାର ଓ ଉପ କାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ପଦେକ୍ଷପ ନେବାକୁ କୋର୍ଟ କହିଛନ୍ତି । ସିସିଟିଭି ଲଗାଇବା ପ୍ରସଙ୍ଗରେ ତ୍ୱରିତ ପଦେକ୍ଷପ ନେବାକୁ ରାଜ୍ୟ ସରକାର ଓ ଜେଲ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଅପରାଧରେ ଲିପ୍ତ ଥାଇ ଜାମିନ ପାଇଥିଲେ ମଧ୍ୟ ଅର୍ଥାଭାବରୁ ଜେଲରୁ ମୁକୁଳି ପାରୁନଥିବା ଅନ୍ତେବାସୀଙ୍କ ବାବଦରେ ମଧ୍ୟ ତଥ୍ୟ ମାଗିଛନ୍ତି ହାଇକୋର୍ଟ ।

Spread the love