ଅପ୍ରେଲ ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣ ସମୟସୀମା

ଭୁବନେଶ୍ୱର : ୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣ ସମୟସୀମା ଅପ୍ରେଲ ୭ ତାରିଖରୁ ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି ।

ସେହିପରି ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍‌ର ସମୟସୀମା ଅପ୍ରେଲ ୧୦ ତାରିଖରୁ ଅପ୍ରେଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପୃକ୍ତ ପ୍ୟାକ୍ସ/ଲ୍ୟାମ୍ପସ୍‌/ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଂଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଂଜୀକରଣ ସମୟସୀମା ବୃଦ୍ଧି ସଂପର୍କିତ ସୂଚନା ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ଚାଷୀମାନେ ସେମାନଙ୍କ ନାମ ପଂଜୀକରଣ କରିପାରିବେ । ଏଥି ସହିତ ସୋସାଇଟିକୁ ନାମ ପଂଜୀକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍‌-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରିିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ୨୦୨୦-୨୧ ଖରିଫ ବିପଣନ ବର୍ଷରେ ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡ଼ା, ବରଗଡ଼, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love