ନୂଆପଡ଼ାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ସଚିବ

  • ବାହାରୁ ଆସୁଥିବା ଲୋକଙ୍କ ଏକାନ୍ତବାସ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ ପାଇଁ ଶନିବାର ନୂଆପଡା ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ନରେ ନୂଆପଡାର ସିଲଦା ସ୍ଥିତ ଜିଲ୍ଲା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚିକିତ୍ସା ସୁବିଧା, ବେଡ୍ , ଆଇସିୟୁ, ଔଷଧ ଆଦିର ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ କୋଭିଡ୍ ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ ।

ନୂଆପଡାକୁ ଲାଗିଥିବା ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଥିବାରୁ ବାହାରୁ ଆସୁଥିବା ସବୁ ଲୋକଙ୍କର ଆରଟିପିସିଆର ଟେଷ୍ଟ ଏବଂ ଆଇସୋଲେସନ୍ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଅତିକମ୍ ରେ ୭ ଦିନ ସଙ୍ଗରୋଧରେ ରହିବାକୁ କଡାକଡି କରିବା, କୋଭିଡ୍ ପ୍ରତିରୋଧବିଷୟରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ ପଂଚାୟତ, କମିଟି, ସରପଂଚ, ୱାର୍ଡମେମ୍ବର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସଚେତନତା ଓ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଏକାନ୍ତବାସ କାଯ୍ୟରେ ସକ୍ରିୟ ଭାବେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଜାର କମିଟିମାନଙ୍କ ସହ ଆଲୋଚନା କରି ସମସ୍ତ ବଜାରରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ କଡାକହଇ ଲାଗୁ କରିବାକୁ କହିଥିଲେ । ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ବଢାଇବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହା ବ୍ୟତୀତ କୋଭିଡ୍ କେୟାର ସେଂଟରଗୁଡିକୁ କାର୍ଯ୍ୟକ୍ଷମ କରିବା ସହ ଦୈନିକ କୋଭିଡ୍ ପରୀକ୍ଷା ସଂଖ୍ୟା ଅଧିକରୁ ଅଧିକ କରିବା ନିମିତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଜିଲ୍ଲାରେ ବର୍ତମାନ ପର୍ଯ୍ୟପ୍ତ ଔଷଧ ମହଜୁଦ ଅଛି । କରୋନା ଟିକାକରଣ ଚାଲିଛି । ଆହୁରି ଅଧିକ ଟିକା ଜିଲ୍ଲାକୁ ଯୋଗାଇ ଦିଆଯିବ । ଜିଲ୍ଲାପାଇଁ ମଧ୍ୟ ଅଧିକ ଡାକ୍ତର ନିୟୋଜନ କରାଯାଇଛି । ସେମାନେ ଖୁବ୍ ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଥିଲେ । ଏହି ଅବସରରେ ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ , ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love