ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ୪୭ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭର୍ଚୁଆଲ୍ ମୋଡ୍ ରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ୪୭ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି । ଏହି ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ରୋଗୀମାନଙ୍କର କ୍ରମ ବର୍ଦ୍ଧମାନ ଯାତାୟତ ଓ ପରିବହନ ଆବଶ୍ୟକତା ପୂରଣ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ରାଜ୍ୟବାସୀଙ୍କ ସହଯୋଗରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମେ କୋଭିଡ୍ ଦ୍ୱିତୀୟ ଲହରିକୁ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଏହି ଆମ୍ବୁଲାନ୍ସ ପାଇଁ ଏମପି ଲାଡ୍ , ସିଏସ୍‌ଆର, ଡିଏମଏଫ୍ ଓ ଓମ୍ବାଡସିରୁ ଅନୁଦାନ ମିଳିଛି । ୪୭ ଟି ଆମ୍ବୁଲାନ୍ସ ମଧ୍ୟରୁ ୨୮ଟି ୧୦୮ ଆପାତକାଳୀନ ଆମ୍ବୁଲାନ୍ସ ସେବାରେ ବିନିଯୋଗ ହେବ ।ଅବଶିଷ୍ଟ ୧୯ଟି ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲକୁ ରୋଗୀଙ୍କ ସେବା ପାଇଁ ଦିଆଯିବ । ୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟରେ ଏର୍ମଜେନ୍ସି ମେଡିକାଲ ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଥିଲା । ବର୍ତମାନ ଏହି ସେବାରେ ୫୯୬ ଟି ଗାଡି ରହିଥିବା ବେଳେ ସେଥିରୁ ୫୪୦ଟି ରେ ବେସିକ୍ ଲାଇଫ୍ ସପୋର୍ଟ ସିଷ୍ଟମ୍ ଓ ୫୬ଟିରେ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ରହିଛି । ଆଜି ଏହି ୪୭ ଟି ଆମ୍ବୁଲାନ୍ସର ଲୋକାର୍ପଣ ପରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି ପାଏ ।

Spread the love