ଫିକିର ପ୍ରଥମ ଏଫ୍‌ଏଲ୍‌ଓ ଓଡ଼ିଶା ମହିଳା ପୁରସ୍କାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶାର ସଫଳ ମହିଳାମାନଙ୍କୁ ପରିଚିତି ଦେବା ସହ ପୁରସ୍କୃତ କରିବା ପାଇଁ ଫିକି ଦ୍ୱାରା ଆୟୋଜିତ ପ୍ରଥମ ଏଫ୍‌ଏଲ୍‌ଓ ଓଡ଼ିଶା ମହିଳା ପୁରସ୍କାରର ଶୁଭାରମ୍ଭ କରିଛନ୍ତି । ସମସ୍ତ ପୁରସ୍କୃତ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ମହିଳା ସଶକ୍ତିକରଣ ମଡେଲ୍ ସମଗ୍ର ଦେଶରେ ଶ୍ରେଷ୍ଠ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସର୍ବଦା ମହିଳା ସଶକ୍ତିକରଣରେ ଅଗ୍ରଦୂତ ହୋଇଆସିଛି । ଆମର ସଶକ୍ତିକରଣ ମଡେଲ୍ ର ଅନ୍ୟତମ ପ୍ରମୁଖ ଅଭିଯାନ ମିଶନ ଶକ୍ତି ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ପରିବାରର ଚାରିକାନ୍ଥ ମଧ୍ୟରୁ ଆଣି ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ସଫଳତାର ସହିତ ପ୍ରତିଷ୍ଠିତ କରିପାରିଛି । ଆମର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତିରେ ଏବେ ଗ୍ରାମାଂଚଳର ମହିଳାମାନେ ଅଧିକ ଭାବରେ ସେମାନଙ୍କ ଅବଦାନ ସାବ୍ୟସ୍ତ କରୁଛନ୍ତି । ମେକ୍ ଇନ୍ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା ଓ ସ୍କିଲଡ୍ ଇନ୍ ଓଡ଼ିଶା ପରି ଅଭିଯାନଗୁଡ଼ିକରେ ରାଜ୍ୟର ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ହେବା ପାଇଁ ଆଗେଇ ଆସୁଥିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି ଏବଂ ଓଡ଼ିଶାର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବା ନିମନ୍ତେ ସମସ୍ତ ସମ୍ଭାବ୍ୟ ଶ୍ରେଷ୍ଠ ନୀତି ଓ କାର୍ଯ୍ୟକ୍ରମ ପ୍ରଣୟନକୁ ତାଙ୍କ ସରକାର ସୁନିଶ୍ଚିତ କରିଆସୁଥିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଫିକି ଏଫ୍‌ଏଲ୍‌ଓର ଜାତୀୟ ସଭାପତି ସୁଶ୍ରୀ ଜାହ୍ନବୀ ଫୁକନ୍‌, ରାଜ୍ୟ ସଭାପତି ସୁଶ୍ରୀ ଧରିତ୍ରୀ ପଟ୍ଟନାୟକ ମଧ୍ୟ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

Spread the love