ଛତିଶଗଡ ସରକାରଙ୍କ ବଡ ନିଷ୍ପତ୍ତି, ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି

ରାୟପୁର : ଛତିଶଗଡରେ କରୋନା ସଂକ୍ରମଣର ନୂତନ ମାମଲାରେ ହ୍ରାସ ଘଟିଥିଲେ ମଧ୍ୟ ଦୈନିକ ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡରେ ଲକ୍‌ଡାଉନ୍‌ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ, କମିଶନର ଓ ପୋଲିସ ଅଧୀକ୍ଷକଙ୍କୁ ଏହି ସମ୍ବନ୍ଧରେ ଆଦେଶନାମା ଜାରି କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଲକ୍‌ଡାଉନ୍‌କୁ ତତ୍କାଳ ପ୍ରଭାବରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ସରକାର ପ୍ରତି ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିପଦକୁ ଦୃଷ୍ଟିରେ ରଖି କିଛି ରିହାତି ଦେଇଛନ୍ତି। ଏହାରି ଆଧାରରେ ସମସ୍ତ ସରକାରୀ ଓ ଘରୋଇ ନିର୍ମାଣ ଗତିବିଧି କରୋନା ଏସଓପି ପ୍ରଟୋକୋଲ ଆଧାରରେ ହେବ। ବ୍ୟାଙ୍କ ଓ ଡାକଘର ସମସ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ। କିନ୍ତୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ଲକ୍‌ଡାଉନ୍‌ ସମୟରେ ସମସ୍ତ ରେଜିଷ୍ଟ୍ରି ଅଫିସ୍‌ ଅନଲାଇନ୍‌ରେ କାର୍ଯ୍ୟ କରିବ। କିଛି କଟକଣା ସହ ବଜାର ଖୋଲିବ। ଯେପରିକି ଯୁଗ୍ମ ଅଯୁଗ୍ମ କିମ୍ବା ବିକଳ୍ପ ଦିନ ଆଧାରରେ ବଜାରରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ରବିବାର ସମସ୍ତ ଜିଲ୍ଲାରେ ଲକ୍‌ଡାଉନ୍‌ ରହିବ। ଅନ୍ୟ ଦିନ ଗୁଡିକରେ କଟକଣା ସହ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

Spread the love