ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡପୁଅ ଯଶୋବନ୍ତଙ୍କ ପରଲୋକ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଙ୍କ ବଡପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ଚଳିତ ମାସ ୯ ତାରିଖରେ କରୋନାରେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା । ୧୯ ତାରିଖ ଅର୍ଥାତ୍ ଗତକାଲି ପ୍ରାଣ ହରାଇଥିଲେ ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ର । ଏହାପରେ ଗୁରୁବାର ଆଖିବୁଜିଛନ୍ତି ବଡପୁଅ ଯଶୋବନ୍ତ । ୧୨ ଦିନ ଭିତରେ ଗୋଟିଏ ପରିବାରରୁ ତିନି ଜଣଙ୍କ ବିୟୋଗରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

କରୋନାରେ ଆକ୍ରାନ୍ତ ହେବା ପରେ ବାପା ରଘୁନାଥ ମହାପାତ୍ର ଓ ସାନ ଭାଇ ପ୍ରଶାନ୍ତ ଏବଂ ବଡ ଭାଇ ଯଶୋବନ୍ତଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତି କରାଯାଇଥିଲା । ତେବେ ରଘୁନାଥ ଓ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗତକାଲି ଯଶୋବନ୍ତଙ୍କୁ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍ କୁ ସ୍ଥାନାନ୍ତର କରି ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ୱେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଗତକାଲି ସକାଳ ୭ଟା ୫୧ ମିନିଟ୍ ରେ ୪୭ ବର୍ଷ ବୟସରେ ଯଶୋବନ୍ତଙ୍କ ସାନ ଭାଇ ପ୍ରଶାନ୍ତ ମହାପାତ୍ର ଭୁବନେଶ୍ୱର ସ୍ଥିତ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ କରୋନାରୁ ମୁକ୍ତ ହୋଇଥିଲେ । ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ସୂଚନାଯୋଗ୍ୟ, ମଇ ୯ ତାରିଖ ଅପରାହ୍ଣ ୩ଟା ୪୯ ମିନିଟ୍ ରେ ରଘୁନାଥ ମହାପାତ୍ର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏକାଦଶାହ ଦିନ ସାନ ପୁଅର ମୃତ୍ୟୁ ଓ ୧୨ ଦିନରେ ବଡପୁଅର ମୃତ୍ୟୁ ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ।

Spread the love