ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର  ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନ ୩ଟା ୪୯ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ , ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍‌ସରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଏମ୍‌ସରେ ଭର୍ତି ହେବା ପରେ ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ ।

ସୂଚନାଯୋଗ୍ୟ, ରଘୁନାଥ ମହାପାତ୍ର ପୁରୀରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।  ବିଜେଡ଼ି ସମର୍ଥନରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତେବେ ଗତ ବର୍ଷ ତାଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଭାବେ ଜଣାଶୁଣା ଥିଲେ । ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀ ଗ୍ରାମ ଓ “ରଘୁନାଥ କ୍ରାଫ୍ଟସ୍‌”ର ପ୍ରତିଷ୍ଠାତା ଥିଲ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୂଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ଭାରତ ସାରା ଅନେକ ମନ୍ଦିର ନିର୍ମାଣ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।

Spread the love