କଂଗ୍ରେସର ପୂର୍ବତନ ସାଂସଦ ଏକନାଥ ଗାଇକୱାଡଙ୍କ ପରଲୋକ

ମୁମ୍ବାଇ : କଂଗ୍ରେସର ପୂର୍ବତନ ସାଂସଦ ତଥା ମୁମ୍ବାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ବରିଷ୍ଠ ନେତା ଏକନାଥ ଗାଇକୱାଡଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି । ଏକନାଥ ଗାଇକୱାଡ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଭର୍ସା ଗାଇକୱାଡଙ୍କ ବାପା । ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯେଉଁଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣ ଥିଲେ । ମହାରାଷ୍ଟ୍ରରେ କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଗାଇକୱାଡ ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ ଲୋକସଭା ଆସନରୁ ଦୁଇ ଥର ପ୍ରତିନିଧିତ୍ବ କରିଥିଲେ । ସେ ଧରାବୀରୁ ୩ଥର ଜିତି ମହାରାଷ୍ଟ୍ର ବିଧାନସଭା ସଦସ୍ୟ ଭାବେ କାମ କରିଥିଲେ। ସେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଜଣେ ପ୍ରମୁଖ ସଦସ୍ୟ ଭାବରେ ମଧ୍ୟ କାମ କରିଥିଲେ। ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ସେ ମୁମ୍ବାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ ।

ତାଙ୍କ ପରଲୋକରେ କଂଗ୍ରେସ ସମେତ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛି ଯେ, ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ଏକନାଥ ଗାଇକୱାଡଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ମହାରାଷ୍ଟ୍ର ତଥା ଦେଶର ବିକାଶରେ ତାଙ୍କର ଅବଦାନ ଏବଂ କଂଗ୍ରେସ ଦଳ ପ୍ରତି ଉତ୍ସର୍ଗୀକୃତ ହେବା ଅନେକଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଆମର ହୃଦୟରୁ ସମବେଦନା ।

Spread the love