ଭାରତ ଓ ଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ ସାମରିକ ଆଲୋଚନା ଏପ୍ରିଲ୍‌ ୯ରେ

ନୂଆଦିଲ୍ଲୀ : ପୂର୍ବ ଲଦ୍ଦାଖରେ ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନେଇ ଉଭୟ ଦେଶ ମଧ୍ୟରେ ପୁଣି ଠାରେ ବସିବା ବୈଠକ । ଆସନ୍ତା ଏପ୍ରିଲ୍‌ ୯ରେ ଭାରତ ଓଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ ସାମରିକ ଆଲୋଚନା ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ଏହି ବୈଠକରେ ବାସ୍ତବିକ ନିୟନ୍ତ୍ରଣ ରେଖ (ଏଲଏସି)ରେ ଜାରି ରହିଥିବା ଉତ୍ତେଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ଦେପ୍‌ସାଙ୍ଗ୍‌ ସମତଳ ଅଞ୍ଚଳ, ଗୋଗ୍ରା ଏବଂ ହଟ୍‌ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରେ ଥିବା ବିବାଦୀୟ ସ୍ଥାନରୁ ସୈନ୍ୟ ଅପସାରଣ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ପାରସ୍ପରିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ସମୟରେ ଉଭୟ ପକ୍ଷ ଉଭୟ ପାର୍ଶ୍ୱରୁ ସୈନ୍ୟ ଅପସାରଣ ବ୍ୟବସ୍ଥା କରାଗଲେ ହିଁ ଭାରତ ଏଥିପ୍ରତି ସମ୍ମତ ହେବ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରି ଦେଇଛି। ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସୈନ୍ୟ ଅପସାରଣ ହେବା ପରେ ଭାରତ ଓ ଚୀନ୍‌ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏ ପ୍ରସଙ୍ଗରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଦୁଇ ଦେଶର ସାମଗ୍ରିକ ସୁସମ୍ପର୍କ ନିମନ୍ତେ ସୀମାନ୍ତରେ ଶାନ୍ତି ଓ ସ୍ଥିରତା ଅପରହାର୍ଯ୍ୟ ବୋଲି ଭାରତ ସବୁବେଳେ ଗୁରୁତ୍ୱାରୋପ କରି ଆସୁଛି। ଗତ ସପ୍ତାହରେ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵଣେ କହିଥିଲେ, ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସୈନ୍ୟ ଅପସାରଣ ପରେ ଭାରତ ପ୍ରତି ବିପଦ ହ୍ରାସ ପାଇଛି, କିନ୍ତୁ ସମ୍ପୂର୍ଣ୍ଣ ଟଳିନାହିଁ।

ସୂଚନା ଯେ, ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଦୀର୍ଘ ୧ ବର୍ଷ ହେଲା ବିବାଦ ଲାଗି ରହିଛି । ଗତବର୍ଷ ଉଭୟ ଦେଶ ମଧ୍ୟରେ ଏକ ବଡ଼ଧରଣର ମୁହାଁମୁହିଁ ହୋଇଥିଲା, ଯେଉଁଥିରେ କି ଭାରତର ଯବାନମାନେ ସହିଦ ହୋଇଥିଲେ । ଚୀନର ଯବାନମାନେ ମଧ୍ୟ ଭାରତୀୟ ଯବାନଙ୍କ ଆକ୍ରମଣରେ ଟଳିପଡ଼ିଥିଲେ । କିନ୍ତୁ କେତେ ପରିମାଣରେ ଚୀନ ନିଜର ସୈନିକଙ୍କୁ ହରାଇଥିଲା, ତାହା ସ୍ପଷ୍ଟ କରିନଥିଲା । ଏହାରି ମଧ୍ୟରେ ଉଭୟ ଭାରତ ଓ ଚୀନ ମଧ୍ୟରେ ଦେଖାଯାଇଥିବା ବିବାଦ ପରେ ଏପର୍ଯ୍ୟନ୍ତ ୧୦ ଥର ବୈଠକ ବସି ଆଲୋଚନା ହୋଇସାରିଛି । ଏଥର କୁହାଯାଉଛି ଯେ, ଗୋଗରା ହାଇଟ୍‌ସ, ସିଏନ୍‌ସି ଜଙ୍କଶନ ଓ ଡେପ୍‌ସାଙ୍ଗ ପ୍ଲେନ୍‌ସ ଅଂଚଳକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଚର୍ଚ୍ଚା ହେବ ।

Spread the love