ୟାସ ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମବାହିନୀର ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ବର : ବାତ୍ୟା ୟାସ୍ ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମବାହିନୀର ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ନିୟୋଜିତ ହୋଇଥିବା ଅଗ୍ନିଶମ ସେବା ସଂସ୍ଥାର ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତ କର୍ମଚାରୀଙ୍କୁ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିବାବେଳେ ଅନ୍ୟ କର୍ମଚାରୀଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଛି । କୋଭିଡ୍‌ ଆକ୍ରାନ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝି ସହାୟତା ଯୋଗାଇବା ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ।

ସୂଚନା ଯେ, ‘ୟାସ୍’ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ବାହିନୀର ୧୯୦ଟି ଟିମ୍‌ ନିୟୋଜିତ ଥିଲେ । ୨୫ରୁ ୨୮ ତାରିଖ ମଧ୍ୟରେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ସ୍ଥାନାନ୍ତର ଆଦି କାର୍ଯ୍ୟ ତୁଲାଇଥିଲେ । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଅମ୍‌ପନ୍‌ର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ବେଳକୁ ଅଗ୍ନିଶମ ସେବା ସଂସ୍ଥାର ବହୁ କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ ।

Spread the love