ଏଣିକି ସାମ୍ବାଦିକମାନେ କରୋନା ଯୋଦ୍ଧା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ୬୯୪୪ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇବେ ।

ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାର ରୂପେ ସମ୍ପାଦନ କରୁଛନ୍ତି। ସାମ୍ବାଦିକମାନେ କରୋନା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। କରୋନା ଲଢ଼େଇରେ ସାମ୍ବାଦିକମାନେ ବଡ଼ ସହଯୋଗ କରୁଛନ୍ତି। ତେବେ ଏ ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀ ମଧ୍ୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଏବଂ ସେମାନଙ୍କୁ ସଚେତନ କରାଇବା ଯାତ୍ରାରେ କିଛି ସାମ୍ବାଦିକଙ୍କ ଜୀବନ ଦୀପ ଲିଭିଯାଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ରାଜ୍ୟରେ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ଏହାଦ୍ୱାରା ୬୯୪୪ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ସେମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ସୁବିଧା ମିଳିବ । ଏହାସହ ଯଦି କୋଭିଡ୍ ଯୁଦ୍ଧରେ କେହି ପ୍ରାଣ ହରାଇଲେ ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରାଯିବ ।

Spread the love