ସାପ ଗରଳ ଜବତ୍ ପ୍ରସଙ୍ଗ : କ୍ରାଇମ୍‌ବ୍ରାଂଚ ତଦନ୍ତପାଇଁ ଚିଠି ଲେଖିଲା ବନବିଭାଗ

ଭୁବନେଶ୍ୱର : ଗତ ସପ୍ତାହରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ୍ ନିକଟରୁ ଜବତ୍ ହୋଇଥିବା ୧.୬ଲିଟରର ସାପ ଗରଳକୁ ନେଇ ତନାଘନା ଆରମ୍ଭ କରିଛି ବନ ବିଭାଗ । ତିନୋଟି ସ୍ଥାନକୁ ସାପ ଗରଳର ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ୬ଜଣକୁ ଗିରଫ କରାଯାଇଛି । ତେବେ ସାପ ଗରଳ କେଉଁଠୁ ସଂଗ୍ରହ ହୋଇଥିଲା ଓ ଏହି କ୍ରାଇମ୍ ସିଣ୍ଡିକେଟ୍‌ର ସୂତ୍ରଧର କିଏ ଓ ଆନ୍ତର୍ଜାତୀକ ଲିଙ୍କ ଅଛି କି ନାହିଁ ତାକୁ ନେଇ ତଦନ୍ତ ପାଇଁ କ୍ରାଇମବ୍ରାଂଚକୁ ଚିଠି ଲେଖିଛି ବନ ବିଭାଗ । ମୁଖ୍ୟ ଆସାମୀ କୁହାଯାଉଥିବା ବଲାଙ୍ଗିର ଅଂଚଳର ଜନୈକ ବ୍ୟକ୍ତି ଫେରାର ଥିବା ବେଳେ ତାକୁ ଧରିବାପାଇଁ ଜାମିନ୍ ବିହିନ ପରୱାନା ଜାରି କରିଛି ଅଦାଲତ । ତେବେ ସମ୍ପଅକ୍ତ ଅପରାଧୀର ପୁଅ ସମେତ ଜଣେ ମହିଳା ମଧ୍ୟ ଏ ଘଟଣାରେ ଗିରଫ ହୋଇଛନ୍ତି । ଚୀନ, ନେପାଳ, ମିଆଁମାର ଓ ବାଂଲାଦେଶକୁ ସାପଗରଳ ପଠାଇବାପାଇଁ ଏକ ର‌୍ୟାକେଟ୍ ଓଡ଼ିଶାରେ ସକ୍ରିୟ ଥିବା କଥା ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି । କିଛିଦିନ ତଳେ ଟାଟା ଅଂଚଳରୁ ଆସିଥିବା ତିନିଜଣ ଯୁବକଙ୍କ ଠାରୁ ମଧ୍ୟ ୬.୫୦ମିଲିଟର ସାପ ଗରଳ ଜବତ୍ ହୋଇଥିଲା । ଶ୍ରୀ ମିଶ୍ରଙ୍କ କହିବା ମୁତାବକ ଅପରାଧୀମାନେ କୋଲକତା ବାଟଦେଇ ଦକ୍ଷିଣପୂର୍ବ ଏସିଆ ଓ ଚୀନ୍‌କୁ ସାପ ଗରଳ ପଠାଉଥିଲେ । ଘଟଣାରେ ଗିରଫ ହୋଇଥିବ ବାଲେଶ୍ୱର ଅଂଚଳର ଜଣେ ଯୁବକ ଏନେଇ ମୁହଁ ଖୋଲିଛନ୍ତି । ଆନ୍ତର୍ଜାତିକ ବଜାରରେ ଜବତ୍ ହୋଇଥିବା ସାପ ଗରଳ ମୁଲ୍ୟ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ୩ଶହରୁ ଓର୍ଦ୍ଧ୍ୱ ସାପଠାରୁ ଏହି ବିଷ ସଂଗୃହୀତ ହେଇଥିବା ଅନୁମାନ କରାଯାଉଛି । ତେଣୁ ବନବିଭାଗ ସାପକେଳା ମାନଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଏନେଇ ବନବିଭାଗ ମଧ୍ୟ ମଧ୍ୟପ୍ରଦେଶରେ ଥିବା ଫରେଷ୍ଟ କ୍ରାଇମ୍ ଡିଭିଜନ୍‌କୁ ଚିଠି ଲେଖିଛି । ଉକ୍ତ ସଂସ୍ଥା ମଧ୍ୟ ଘଟଣାର ତଦନ୍ତ କରିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ ସାପ ଗରଳରୁ ମେଡିସିନ୍ ଓ ଇଂଜେକ୍ସନ ପ୍ରସ୍ତୁତ ହୋଇଥାଏ । ଏହା ସହିତ ଚୀନ୍ ଓ ମିଆଁମାରରେ ମଧ୍ୟ ଔଷଧ କମ୍ପାନୀ ଗୁଡିକ ସାପ ବିଷ ବା ଗରଳ ଦ୍ୱାରା ଉନ୍ନତ ମାନର ଔଷଧ ପ୍ରସ୍ତୁତ କରିଥାନ୍ତି ।

Spread the love