ଉତ୍ତରାଖଣ୍ଡରେ ବରଫ ସ୍ଖଳନ ଯୋଗୁଁ ୮ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ସୁମ୍‌ନା ଅଞ୍ଚଳରେ ଶୁକ୍ରବାର ଗ୍ଲେସିୟର ଭାଙ୍ଗିଯାଇଥିଲା ।  ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଏହାସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜୋରଦାର କରାଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଫରେ ଫସି ରହିଥିବା ପ୍ରାୟ ୩୮୪ ଜଣଙ୍କୁ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇ ସେନା ଶିବିରରେ ରଖାଯାଇଛି। ଏମାନେ ସମସ୍ତେ ବର୍ଡର ରୋଡ୍‌ସ ଅର୍ଗାନାଇଜେଶନ (ବିଆରଓ) କ୍ୟାମ୍ପରେ କାର୍ଯ୍ୟ କରୁଥିଲେ।

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେସୁଦ୍ଧା ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ମୃତଦେହ ମିଳିଛି ।  କିଛି ସ୍ଥାନକୁ ଯୋଗାଯୋଗ ସମ୍ଭବପର ହେଉନାହିଁ। ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଆରଓ ଅଧିକାରୀ ଲଗାତର ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହିବରଫ ତରଳିବା ସମୟରେ ବିଆରଓର ଏକ କ୍ୟାମ୍ପ ମଧ୍ୟ ଫସି ଯାଇଥିଲା । ପ୍ରାୟ ୧୫୦ରୁ ଅଧିକ ଇଞ୍ଜିନିୟର ଫସି ରହିଥିଲେ । ସେମାନଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଉଦ୍ଧାର କରାଯାଇଛି । ଏବେ ଭାୟାକୁଣ୍ଡରୁ ସୁମନା ଯାଏଁ ରାସ୍ତାକୁ ସଫା କରାଯାଉଛି । ଏବେବି ସେହି ସ୍ଥାନରେ ବରଫପାତ ହେଉଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଏନଟିପିସି ସମେତ ଅନେକ ପ୍ରକଳ୍ପ କାମକୁ ସାମୟିକ ରୋକି ଦିଆଯାଇଛି । ଗତ ଫେବ୍ରୁଆରୀରେ ମଧ୍ୟ ଚମୋଲିରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଧୋଲିଗଙ୍ଗା ନଦୀରେ ବନ୍ୟା ଆସିଥିଲା । ଏଥିରେ ୫୪ ଜଣ ପ୍ରାଣ ହରାଇଥିଲେ । ଅଘଟଣ ପରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ୱତଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଯଥାସମ୍ଭଭ ସାହାଯ୍ୟ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଗୃହମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ନେଇ ଆଶ୍ୱାସନା ଦେଇଛନ୍ତି ।

Spread the love