ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି, ମୁତୟନ ହେବେ ୩୫ ପ୍ଳାଟୁନ ଫୋର୍ସ।

ପୁରୀ : ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳନ କିଭଳି ବିନାଭକ୍ତରେ ହେବ ତାହାର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । କଟକଣା ଯୁକ୍ତ ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ହେବ । ଲୋକଙ୍କୁ କିଛି ଅସୁବିଧା ନ ହେବା ଭଳି ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯିବ । ସ୍ନାନଯାତ୍ରା କୋଭିଡ୍‌ ମାର୍ଗଦର୍ଶିକାକୁ କିଭଳି ପାଳନ କରାଯିବ ସେନେଇ ଜିଲ୍ଲା ପୁଲିସ ପକ୍ଷରୁ ମଙ୍ଗଳବାର ଦିନ ରଥ ପାଖରେ ଅଭ୍ୟାସ ଓ ପୁଲିସ ରିଜର୍ଭରେ ଅଫିସରମାନଙ୍କ ଏକ ବୈଠକ କରିଥିଲେ ଏସପି କେ ବିଶାଳ ସିଂହ ।
ବୈଠକରେ କୋଭିଡ୍‌ ମାର୍ଗଦର୍ଶିକା ଉପରେ ଆଲୋପାତ କରାଯାଇଥିଲା । ସେହିଭଳି ରଥ ନିକଟରେ କୋଭିଡ୍‌ ମାର୍ଗଦର୍ଶିକା ପାଳନର ଏକ ଅଭ୍ୟାସ ଏସପିଙ୍କ ନେତୃତ୍ୱରେ ହୋଇଥିଲା । ଗୁରୁବାର ପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଯାତ୍ରା । ଏହି ଅବସରରେ କଣ ସବୁ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ ତାହାର ସବିଶେଷ ତଥ୍ୟ ବୈଠକ ଏବଂ ଅଭ୍ୟାସ ଡ୍ରିଲରେ ଅଫିସରଙ୍କୁ ସଚେତନ କରାଯାଇଥିଲା ।
ଏହି ଅବସରର ବିଭାଗୀୟ ଅଧିକାରୀଙ୍କୁ ସଚେତନ କରାଯାଇଥିଲା ସ୍ନାନଯାତ୍ରା ଦିନ ପୁରୀ ସହରକୁ ସଂଯୋଗ କରୁଥିବା ପ୍ରବେଶ ପଥରେ ପୁଲିସ ପିକେଟିଂ ବ୍ୟାରିକେଡ ଲାଗିବ । ମଙ୍ଗଳାଘାଟ, ବାଟଗାଁ, ମାଳତିପାଟପୁର, ଗ୍ରୀଡ ଷ୍ଟେସନ, ତେଷାଳି ସ୍ୟାଣ୍ଡ ଛକରେ ପୁଲିସ ଅଫିସରମାନେ ମୁତୟନ ରହିବେ ।
ତିନିଥାକିଆ ସୁରକ୍ଷା ବଳୟରେ ଶ୍ରୀମନ୍ଦିରକୁ ରଖାଯିବ । ତଦ୍ଦ୍ୱାରା ସେବାୟତ, କର୍ମଚାରମାନେ ଅବାଧରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ । ଅନଧିକାର ପ୍ରବେଶକୁ ରୋକା ଯାଇପାରିବ । ତା ବ୍ୟତୀତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୫ଟି ସିସିଟିଭି ସ୍ଥାପନ କରି ଘଟଣା ପ୍ରବାହ ଉପର ନଜର ରଖାଯିବ ।ସ୍ନାନଯାତ୍ରା କୋଭିଡ୍‌ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ପୁରୀ ସହରକୁ ୬ଟି ଜୋନରେ ବିଭକ୍ତ କରାଯିବ । ଚିହ୍ନଟ ଇଲାକାରେ ୧୪୪ ଧାରା ବଳବତ୍ତର ରହିବ ।
ସ୍ନାନଯାତ୍ରା ପାଇଁ ୫ଜଣ ଅତିରିକ୍ତ ଏସପି, ୨୩ ଡିଏସପି, ୪୧ ଇନ୍ସପେକ୍ଟର, ୧୫୦ ଅନ୍ୟ ଅଫିସର, ୩୫ ପ୍ଳାଟୁନ ଫୋର୍ସ ସହର ଏବଂ ଶ୍ରୀମନ୍ଦିର ଚାରି ପାଖରେ ମୁତୟନ ରହିବେ ବୋଲି ପୁଲିସ ରିଜର୍ଭ ବୈଠକରେ ସୂଚୀତ କରାଯାଇଥିଲା । କୋଭିଡ୍‌ ନିୟମ ପାଳନ ଓ ଶୃଙ୍ଖଳାର ସହ ସ୍ନାନଯାତ୍ରା ସମ୍ପନ୍ନକୁ ସମସ୍ତ ଅଫିସର ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା ।

Spread the love
78