ଶ୍ରେଷ୍ଠ ନିର୍ଦେଶିକା ଭାବେ ଓସ୍କାର୍‌ ପୁରସ୍କାର ସମ୍ମାନ ଲାଭ କଲେ ପ୍ରଥମ ଏସୀୟ ମହିଳା

ଲସ୍‌ଆଞ୍ଜେଲ୍ସ : ଘୋଷଣା ହେଲା ୯୩ତମ ଓସ୍କାର ପୁରସ୍କାର । ବହୁ ପ୍ରତୀକ୍ଷିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍‌ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ କରିଛି। ‘ନୋମାଡ୍‌ଲାଣ୍ଡ୍‌’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଚୀନ୍‌ ଜନ୍ମିତା ଚଳଚ୍ଚିତ୍ର ନିର୍ମାତ୍ରୀ କ୍ଲୋଇ ଜାଓଙ୍କୁ ଶ୍ରେଷ୍ଠ ନିର୍ଦେଶିକା ଭାବେ ‘ଏକାଡେମି ଆଓ୍ଵାର୍ଡ’ ବା ଓସ୍କାର୍‌ ପୁରସ୍କାର ମିଳିଛି। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଏବଂ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶିକା। ସେହିପରି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଫ୍ରାନ୍ସିସ ମ୍ୟାକ୍‌ଡୋରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟପଟେ ଚଳଚ୍ଚିତ୍ର ‘ଦ ଫାଦର’ ଲାଗି ବିଶିଷ୍ଟ ଅଭିନେତା ଆନ୍ଥୋନୀ ହପ୍‌କିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସବୁଠୁ ବୟସ୍କ ଅଭିନେତା ଭାବେ ସେ ଏହି ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ସହ ଅଭିନେତା ଭାବେ ଡାନିଏଲ କାଲୁୟଙ୍କୁ ପୁରସ୍କାର ମିଳିଛି। ‘ଜୁଡାସ ଆଣ୍ଡ ଦ ବ୍ଲାକ ମସିହା’ ଚଳଚ୍ଚିତ୍ର ପାଇଁ ସେ ଏହି ପୁରସ୍କାର ହାସଲ କରିଛନ୍ତି। ସହ ଅଭିନେତ୍ରୀ ଭାବେ ୟୁ-ଜୁଙ୍ଗ ୟୁନଙ୍କୁ ‘ମିନାରି’ ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳିଛି। ଏହାଛଡ଼ା, ୯୩ତମ ଏକାଡେମି ଆଓ୍ଵାର୍ଡ ପ୍ରଦାନ ଅବସରରେ ଭାରତୀୟ ଅଭିନେତା ଏବଂ ଓସ୍କାର୍‌ ବିଜୟିନୀ କଷ୍ଟ୍ୟୁମ୍‌ ଡିଜାଇନର୍‌ ଭାନୁ ଆଥେୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତଃ ଇର୍‌ଫାନ୍‌ ‘ଲାଇଫ୍‌ ଅଫ୍‌ ପାଇ’, ‘ଜୁରାସିକ୍‌ ଓ୍ଵାର୍ଲଡ୍‌’, ‘ଇନ୍‌ଫର୍ଣ୍ଣୋ’ ଆଦି ହଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରି ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ। ୧୯୮୨ରେ ମୁକ୍ତିଲାଭ କରିଥିବା ‘ଗାନ୍ଧୀ’ ଚଳଚ୍ଚିତ୍ର ପାଇଁ ଭାନୁ ‘ବେଷ୍ଟ୍‍ କଷ୍ଟ୍ୟୁମ୍‌ ଆଓ୍ଵାର୍ଡ’ ପାଇଥିଲେ।

ଜୀବନଯାପନ ପାଇଁ ଅର୍ଥ ଉପାର୍ଜନ କରିବା ଲାଗି ଗୋଟିଏ କାମରୁ ଅନ୍ୟ କାମ ସନ୍ଧାନ କରୁଥିବା ବୟୋଜ୍ୟେଷ୍ଠ ଆମେରିକୀୟମାନଙ୍କ ଜୀବନଯାତ୍ରା ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ନୋମାଡ୍‌ଲାଣ୍ଡ୍‌’ରେ ଅଭିନେତ୍ରୀ ଫ୍ରାନ୍‌ସେସ୍‌ ମ୍ୟାକ୍‌ଡର୍ମାଣ୍ଡ୍‌ଙ୍କ ସହ ‘ରିୟଲ୍‌-ଲାଇଫ୍‌ ନୋମାଡ୍‌ସ୍‌’ ଭାବେ ଅଭିନୟ କରିଥିବା ୩୯ ବର୍ଷୀୟ ଜାଓଙ୍କ ପାଇଁ ଏହା ହେଉଛି ପ୍ରଥମ ଓସ୍କାର୍‌। ଏହି ଚଳଚ୍ଚିତ୍ରଟି ଆର୍ଥିକ ଅନଟନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ‘ୟୁ.ଏସ୍‌. ରିସେସିଅନ୍‌ ଯୁଗ’ର ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ। ଚୀନ୍‌ରେ ଜନ୍ମିତା ଜାଓ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ବେଜିଙ୍ଗ୍‌ରେ ବାସ କରୁଥିଲେ। ପରେ ସେ ଲଣ୍ଡନ୍‌ର ଏକ ବୋର୍ଡିଙ୍ଗ୍‌ ସ୍କୁଲ୍‌ରେ ଭର୍ତ୍ତି ହୋଇଥିଲେ। ତା’ପରେ ଲସ୍‌ ଏଞ୍ଜେଲେସ୍‌ରେ ତାଙ୍କର ହାଇସ୍କୁଲ୍‌ ଶିକ୍ଷା ଶେଷ ହୋଇଥିଲା। କିନ୍ତୁ, ତାଙ୍କର କୃତିତ୍ୱ ପ୍ରସଙ୍ଗ ଚୀନ୍‌ ଟେଲିଭିଜନ୍‌ରେ ପ୍ରସାରଣ କରାଯାଇନାହିଁ। ବଂର ଚୀନ୍‌ରେ ସେ ସମାଲୋଚିତ ହୋଇଛନ୍ତି। ଚୀନା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିିବା ପୋଷ୍ଟର୍‌ରେ ଉଲ୍ଲେଖ ଅଛି ଯେ, ଅତୀତରେ ମନ୍ତବ୍ୟ ଦେବା ବେଳେ ଜାଓ ଚୀନ୍‌କୁ ଅପମାନିତ କରିଛନ୍ତି।

Spread the love