ଆଜି ଠାରୁ ୧୫ ଦିନ ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ର କରୋନା ସଂକ୍ରମଣ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜିଠାରୁ ଜନତା କର୍ଫ୍ୟୁ ଲାଗୁ ଘୋଷଣା କରିଛନ୍ତି । ଏଥିସହିତ ସମଗ୍ର ରାଜ୍ୟରେ ୧୪୪ ଧାରା ଜାରି ହୋଇଛି। ବୁଧବାର ରାତି ୮ଟାରୁ ମେ ୧ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିପାଇଁ ରାଜ୍ୟରେ ଧାରା ୧୪୪ ଲାଗୁ କରାଯିବ। କେବଳ ଜରୁରୀ ପରିସ୍ଥିତିରେ ହିଁ ଲୋକେ ଘରୁ ବାହାରି ପାରିବେ। ଅତ୍ୟାବଶ୍ୟକ ତଥା ଜରୁରୀ ଉଦ୍ଦେଶ୍ୟରେ ହିଁ ଘରୋଇ ଯାନକୁ ଅନୁମତି ମିଳିବ। ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ବନ୍ଦ ରହିବ, କିନ୍ତୁ ହୋମ୍‌ ଡେଲିଭରି ହୋଇପାରିବ।

ଏହି ସମୟରେ ମୁମ୍ବାଇ ଲୋକାଲ୍‍ ଟ୍ରେନ୍‍ ଓ ବସ୍‍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ। ତେବେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ। ରାଜ୍ୟରେ ଅକ୍ସିଜେନର ଅଭାବ ରହିଥିବା ବିଷୟରେ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରରେ ଅକ୍ସିଜେନ ପହଞ୍ଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ। ଏବେ ମହାରାଷ୍ଟ୍ର ୧୨ଶହ ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ଉତ୍ପାଦନ କରୁଛି ଏବଂ କରୋନା ସଂକ୍ରମଣ ବୃଦ୍ଧି ହେତୁ ୯୫୦ରୁ ଏକହଜାର ଟନ୍‍ ଅକ୍ସିଜେନର ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ ଆମଦାନୀ ଆବଶ୍ୟକ ହେଉଛି। ରାଜ୍ୟରେ ଲାଗୁ ହୋଇଥିବା କଠୋର କଟକଣା ପାଇଁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ‌ଲୋକେ ଘରୁ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହ ସମସ୍ତଙ୍କର ସହଯୋଗରେ ହିଁ ୧୫ ଦିନିଆ ଜନତା କର୍ଫ୍ୟୁ ସଫଳ ହୋଇପାରିବ ବୋଲି କହିଛନ୍ତି। ପୂର୍ବରୁ ସଂପୂର୍ଣ୍ଣ ଲକ୍‌ଡାଉନ୍‌କୁ ବିରୋଧ କରୁଥିବା ମହାରାଷ୍ଟ୍ର ବ୍ୟବସାୟୀ ସଂଘ ସରକାରଙ୍କ ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଛି।

Spread the love