କୋଟିଆର ୨୨ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର : ଓଡ଼ିଶାର କୋରାପୁଟ ଜିଲ୍ଲାର ସୀମାନ୍ତ ଅଂଚଳ କୋଟିଆ ଗ୍ରାମପୁଞ୍ଜର ୨୨ଟି ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଂଚାୟତ ନିର୍ବାଚନ ଗୁରୁବାର କରିବାକୁ ଯାଉଥିବାରୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି । ଏହା ବୁଧବାର ଅପରାହ୍ନ ୫ଟାରୁ ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତର ରହିବ । ଏହି ୨୨ଟି ଗ୍ରାମରେ ୨୨ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ଦିଆଯାଇ ମୁତୟନ କରାଯାଇଛି । ସେହିପରି ଅଧିକ ପୋଲିସ୍ ମଧ୍ୟ ମୁତୟନ କରାଯାଇଛି । କୋଭିଡ୍ ନିୟମ ପାଳନ କରିବା ପାଇଁ ମଧ୍ୟ ପ୍ରଚାର କରାଯାଉଛି ।

ଖବର ନେବାରେ ଜଣାଯାଏ ଯେ, କୋଟିଆ ଅଂଚଳରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ ୮ ତାରିଖରେ କରିବା ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ । ବିରୋଧି ଦଳଗୁଡ଼ିକ ଏହାକୁ ବିରୋଧକରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ସିଙ୍ଗଲ୍ ବେଂଚରେ ଏହି ମାମଲାର ଶୁଣାଣୀ ହୋଇଥିଲା ଏବଂ ଏହି ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହା ବିରୁଦ୍ଧରେ ଆନ୍ଧ୍ର ସରକାର ପୁର୍ନବିଚାର କରିବା ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଉଏକ ପିଟିସନ୍ ଜାରି କରାଯାଇଥିଲା । ତିନିଜଣିଆ ଖଣ୍ଡପୀଠ ଶୁଣାଣୀ କରି ସ୍ଥଗିତାଦେଶକୁ ରଦ୍ଦ କରିଥିଲେ । ଫଳରେ ଆସନ୍ତାକାଲି ପଂଚାୟତ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ଅଂଟା ଭିଡ଼ିଥିବାରୁ ତା’ର ପ୍ରତିବାଦରେ କଂଗ୍ରେସ, ବିଜେପି ଏବଂ ବିଜେଡି ତିନିଦଳ ମିଶି ସୀମାରେ ଆନ୍ଦୋଳନ କରିଥିଲେ । ତେବେ ଭୋଟ୍‌ଗଣତି ହେବନାହିଁ ।

Spread the love