ଶ୍ରାବଣ ମାସ ସୋମବାର ପାଇଁ ପାଣି ଉଠାଉଥିଲେ, ସୁବର୍ଣ୍ଣରେଖା ନଦୀରେ ବୁଡି ନାବାଳକ ନିଖୋଜ

ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟରେ ବୋଲବମ ଉପରେ ଲାଗିଛି ରୋକ୍ । ତେବେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମାନପୁର ସ୍ଥିତ ସୁବର୍ଣ୍ଣରେଖା ନଦୀର ସିଆଡି ଘାଟରେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି । ଶ୍ରାବଣ ମାସ ସୋମବାର ପାଣି ଆଣିବାକୁ ଯାଇ ସେ  ନିଖୋଜ ହୋଇଥିବା ଜଣାପଡିଛି।

ନିଖୋଜ ନାବାଳକ ହେଲେ ଉକ୍ତ ଗ୍ରାମର ୮ମ ଶ୍ରେଣୀର ଛାତ୍ର ଶୁଭମ ରଣା। ସୂଚନା ଅନୁଯାୟୀ, ଶ୍ରାବଣ ମାସ ସୋମବାର ଥିବାରୁ ଧର୍ମଦ୍ଵାର ପଞ୍ଚାୟତର ପୂର୍ଣ୍ଣ ଚନ୍ଦ୍ର ରଣାଙ୍କର ନାବାଳିକ ପୁଅ ଶୁଭମ ୪ରୁ ୫ଜଣ  ଜଣ ସାଙ୍ଗ ମାନଙ୍କ ସହିତ ନଦୀକୁ ଯାଇଥିଲେ ।ସେ ସୁବର୍ଣ୍ଣରେଖା ନଦୀର ମାନପୁର ଶିଆଡି ଘାଟରେ ପାଣି ଉଠାଉଥିଲେ । ତେବେ ନଦୀରେ ପାଣିପ୍ରବଳ ଥିବାରୁ ଅସାବଧାନତା ଯୋଗୁଁ ଶୁଭମ ଭାସି ଯାଇଥିଲେ  ।

ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା  କରିଥିଲେ ମଧ୍ୟ କରି ପାରିନଥିଲେ ।  ଶେଷରେ ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।  ଗାଁ ଲୋକ ଅଗ୍ନିସମ ବିଭାଗକୁ ଏନେଇ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Spread the love