ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ବିଜ୍ଞପ୍ତି ଜାରି କରିଛନ୍ତି । ଅଧିକାରୀଙ୍କ ସୂଚନା ମୁତାବକ ପିପିଲି ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ମେ ୧୮ ତାରିଖ ସୁଦ୍ଧା ଶେଷ ହେବ। ଏପ୍ରିଲ ୨୬ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏପ୍ରିଲ ୨୭ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି।ଏହାପରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୭ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନା ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା । ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ-ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା । ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି । ପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ । ଅଜିତ ମଙ୍ଗରାଜଙ୍କ ବଦଳରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିବ । ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି । ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରାର୍ଥୀ ନେଇ ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା ହୋଇନଥିଲେବି ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖୋଲାଖୋଲି ଭାବେ ତାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ ଉଚିତ୍‌ ହେବ ବୋଲି କହିଛନ୍ତି ।

Spread the love