ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ପୁଣି ଚର୍ଚ୍ଚାକୁ ଆସିଛି

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ଆଦିତ୍ୟଙ୍କ ସଂଗଠନ ପିପୁଲ ଫର୍‌ ସେବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି । ଏନେଇ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ (ପ୍ରୋଟେଷ୍ଟ ପିଟିସନ୍‌) ଦାଖଲ କରାଯାଇଛି ।

ଆଇନ୍‌ଜୀବୀ ନିହାର ରଞ୍ଜନ ଓଝା କହିଛନ୍ତି ଯେ, ସିଆର୍‌ପିସି ଧାରା ୨୨୦ ବଳରେ ଏହି ପିଟିସନ ଦାଖଲ ହୋଇଛି । ଜିଆର୍‌ପି ଥାନା ଭଳି କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଟିମ୍‌ ସଠିକ୍‌ ଦିଗରେ ତଦନ୍ତ କରିନି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଟିମ୍‌ ଏଡାଇ ଯାଉଛି । ଏଯାଏଁ ସୁଇସାଇଡ୍‌ ନୋଟ୍‌ରେ କାହାର ହାତ ଲେଖା ବୋଲି ଟିମ୍‌ ସାର୍ବଜନୀନ କରୁନି । କଲ୍‌ ଡିଟେଲ୍ସ ଓ ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ ଭଳି ଆହୁରି କିଛି ଦିଗରେ ତଦନ୍ତଟି ଉପର ଠଉରିଆ ଭାବେ ହୋଇଥିବା ଜଣାପଡୁଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି ।

ସେ ଆହୁରି କହିଛନ୍ତି, ହାଇକୋର୍ଟରେ ଦାଖଲ ହୋଇଥିବା ଚୂଡାନ୍ତ ଚାର୍ଜସିଟ୍‌ ସାର୍ବଜନୀନ ହୋଇନଥିଲେ ହେଁ, ଆଦିତ୍ୟଙ୍କ ମୃତ୍ୟୁଟି ଆତ୍ମହତ୍ୟାଜନିତ ବୋଲି ଦର୍ଶାଇଯାଇଥିବା ଲାଗୁଛି । ସେପଟେ ବିବାହର ମାସେ ପୁରିନଥିବା ବେଳେ ଆଦିତ୍ୟ କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ, ଏହା ପଛର କାରଣ ଦେଖାଇବାରେ ଅସମର୍ଥ । ରାଜ୍ୟ ସରକାରଙ୍କ ଏକ ବଡ଼ ତଦନ୍ତକାରୀ ସଂସ୍ଥାର ଏଭଳି ଖାମଖିଆଲି ତଦନ୍ତ ଧାରାକୁ ଦୃଢ଼ ବିରୋଧ କରୁଛୁ । ପୁରା ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅଦାଲତଙ୍କୁ ଅନୁରୋଧ କରାଯାଇଛି ।

Spread the love