ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୬ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନଳବାହାର ଠାରେ ଓଭରବ୍ରିଜ୍ ଓ୍ବାଲକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଏ ସ୍ଥାନୀୟ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ମଦନ ଗଙ୍ଗେଇଙ୍କ ପରିବାର ଚିକିତ୍ସା ପାଇଁ ଏକ ବୋଲେରୋ ଗାଡିରେ ବାଲେଶ୍ଵରକୁ ଯାଉଥିଲେ। ମାତ୍ର ଭାରସାମ୍ୟ ହରାଇ ବୋଲେରୋଟି ନଳବାହାର ସ୍ଥିତ ଓଭରବ୍ରିଜ୍ ଓ୍ବାଲରେ ପିଟି ହୋଇ ଓଲଟି ପଡିଥିଲା । ବୋଲେରୋରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଜନସାଧାରଣ ଓ ବସ୍ତା ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଦ୍ରୁତ ଗତିରେ ଗାଡି ଚାଳନା ଓ ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ନେଇ ଚର୍ଚ୍ଚା ହେଉଛି।

Spread the love