କରୋନା ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ : ପଚଂସୂତ୍ରୀ ନିୟମ ମାନିବେ ଦୋକାନୀ

ଗଞ୍ଜାମ : କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ଥିତିର ସମୀକ୍ଷା କରିଛନ୍ତି । ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବିଡ଼ିଓ ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ଓ ଗୁଜୁରାଟର କୋଭିଡ଼୍ ସ୍ଥିତି ଭୟାନକ ଥିବାରୁ ଏହାକୁ ନଜରରେ ରଖି ଜନସାଧାରଣ ଓ ଅଧିକାରୀ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି । ପ୍ରତ୍ୟେକ ଦିନ ୪ ରୁ ୫ ଜଣ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ବିଡ଼ିଓ, ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ନଥିଲେ ବାହାରୁ ଜିଲ୍ଲାକୁ ନଆସିବେ ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ହିଁ କୋଭିଡ଼୍ ନେଗେଟିଭ୍ ସାର୍ଟିଫିକେଟ ଧରି ଜିଲ୍ଲାକୁ ଆସିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ପ୍ରତ୍ୟେକ ଗ୍ରାମପଚାଂୟତ ଏବଂ ୱାର୍ଡ଼ ସ୍ତରରେ ଲିଖିତ ଭାବେ ବାହାର ରାଜ୍ୟ ଫେରନ୍ତାଙ୍କ ତଥ୍ୟ ରଖାଯିବ । ଜିଲ୍ଲାର ସମସ୍ତ ମେଡ଼ିକାଲ ଓ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ କୋଭିଡ଼୍ ଆଇସୋଲେସନ ସେଲ୍ ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରୀ କରିଛନ୍ତି । ଦୋକାନୀ ମାନେ ମଧ୍ୟ ପୂର୍ବ ନିଷ୍ପତି ପ୍ରକାରେ ପଚଂସୂତ୍ରୀ ନିୟମ ପାଳନ କରିବା ସହ ଦୋକାନରେ ନୋ ମାସ୍କ, ନୋ ଏଂଟ୍ରି ଫଳକ ଟଙ୍ଗାଇବେ । ଯେଉଁ ଦୋକାନୀ ମାନେ ଏଥିରେ ସହଯୋଗ ନକରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସରକାରୀ କାର୍ଯ୍ୟାଳୟ ମାନଙ୍କରେ କୋଭିଡ଼୍ ନିୟମ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯିବ । ଦଣ୍ଡ ଯାତ୍ରାରେ ରାତିରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love