ବିନା ଭକ୍ତରେ ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ମଙ୍ଗଳବାର ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ । ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ । ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି । ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର ମୁତୟନ ହେବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ରଥଯାତ୍ରା ପାଇଁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି ।

ଅପରପକ୍ଷରେ ଆସନ୍ତାକାଲି ରୁକୁଣା ରଥଯାତ୍ରା ଓ ଆସନ୍ତା ୨୪ତାରିଖରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ନେଇ ସମ୍ପୃକ୍ତ ଅଂଚଳରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ପୋଲିସ କମିଶନର କହିଛନ୍ତି ଯେ ଏହି ସମୟରେ କୌଣସି ଯାନବାହାନ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସବୁ ଗାଡ଼ିଗୁଡ଼କ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ । ରଥ ରୋଡରେ ବାରିକ ସାହି ଗଳି, ମହାରାଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳି, ହରଚଣ୍ଡୀ ଛକ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ ସହିତ ସଂଯୋଗୀକରଣ କରାଯାଇଛି, ସେହି ରାସ୍ତା ଦେଇ ଅଥବା ଗଳିରୁ କୌଣସି ଯାନବାହାନ ରଥ ରୋଡରେ ଯିବା ଆସିବା କରିପାରିବେ ନାହିଁ । ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ । ଏହି ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରା ୯୬ଅନୁସାରେ ୫୦୦ଟଙ୍କା କିମ୍ବା ସର୍ବାଧିକ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

Spread the love