ରାଜଧାନୀ ଭୁବନେଶ୍ୱର କୁ ଡରଉଛି ଡେଙ୍ଗୁ

ଭୁବନେଶ୍ୱର : ଡେଙ୍ଗୁ କବଜାରେ ବିଏମ୍‌ସିର ଆଉ ଏକ ଅଞ୍ଚଳ । ପୂର୍ବରୁ ୩ ଅଞ୍ଚଳରେ ମାଳମାଳ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ତାଲିକାରେ ପୁରୁଣା ଭୁବନେଶ୍ୱର ସମେତ ନାଗେଶ୍ୱର ଟାଙ୍ଗିର କିଛି ଅଞ୍ଚଳ ଯୋଡି ହୋଇଛି । ଗୋଟିଏ ଦିନରେ ୬ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଛନ୍ତି । ସଂଖ୍ୟାରେ ଆଉ ରୋକ ନାହିଁ । ମାଡ଼ି ମାଡ଼ି ଚାଲିଛି । ସ୍ଥିତି ଅସହ୍ୟ ହେଲାଣି । ମାତ୍ର ସପ୍ତାହକ ମଧ୍ୟରେ ୫୭ ରୋଗୀ ଚିହ୍ନଟ ଏବେ ବିଏମ୍‌ସି ପାଇଁ ମୁଣ୍ଡବିନ୍ଧା ପରିସ୍ଥିତି ସୃଷ୍ଟି କରିଛି । ସେପଟେ ଗତ ୩ ଦିନ ହେବେ ଟେଷ୍ଟିଂ ବନ୍ଦ ରହିଛି । ଫଳରେ ଲକ୍ଷଣ ଦେଖା ଯାଉଥିବା ଆକ୍ରାନ୍ତଙ୍କ ଟେଷ୍ଟିଂ ହୋଇପାରୁନାହିଁ ।

କରେନାର ମାଡ଼ରେ ଭୁବନେଶ୍ୱର ଠିକ୍‌ ଭାବେ ଅଣ୍ଟା ସଳଖିନି । ନଇଁ ପଡ଼ିଥିବା ଅଣ୍ଟାରେ ପୁଣି ଡେଙ୍ଗୁ ମାଡ଼ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛିି ।ନିଳାଦ୍ରିବିହାର, ଚନ୍ଦ୍ରଶେଖରପୁର ଏବଂ କଳ୍ପନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଚାଲିଥିବା ବେଳେ ଆଜି ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ମାଡିଛି ।ନାଗେଶ୍ୱର ଟାଙ୍ଗି ଅଞ୍ଚଳରୁ ୬ ପଜିଟିଭ୍‌ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଜଣେ ପୂର୍ବତନ କର୍ପୋରେଟର ପରିବାରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଗୌତମ ନଗରରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଭୋଇ ସାହି ଅଞ୍ଚଳରେ ଏକାଧିକ ଲୋକେ ଜ୍ୱରରେ ପଡିଛନ୍ତି । ପୂର୍ବରୁ ୩ ଅଞ୍ଚଳରୁ ୫୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ବିଏମ୍‌ସି ପକ୍ଷରୁ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ସୃଷ୍ଟି ହୋଇଛି । ବିଏମ୍‌ସି ପକ୍ଷରୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୟାମ୍ପ କରି ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଉଥିଲା । କିନ୍ତୁ ଗତ ୩ ଦିନ ହେବ ଟେଷ୍ଟିଂ ବନ୍ଦ କରି ଦିଆଯାଇଛି । ଫଳରେ ଟେଷ୍ଟିଂ ପାଇଁ ଲୋକେ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ବିଏମ୍‌ସି ପକ୍ଷରୁ ଠିକ୍‌ ଭାବରେ ଯାଞ୍ଚ କରାଯାଉନଥିବା ନେଇ ଅଭିଯୋଗ ହେଉଛି । ବିଏମ୍‌ସିର ଖାମଖିଆଲି ନୀତି ଯୋଗୁଁ ଡେଙ୍ଗୁ ତାଲିକାର ପୁଣି ଏକ ଅଞ୍ଚଳ ଯୋଡ଼ି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । କିଛି ଅଞ୍ଚଳରେ ସଫେଇ ଠିକ୍‌ ଭାବରେ କରାଯାଉନି । ଫଳରେ ସ୍ଥିତି ବିଗିଡିବାରେ ଲାଗିଛି ।

Spread the love