ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ ବାତ୍ୟା ୟାସ୍

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘଣ୍ଟାକୁ ୪ କିମି ବେଗରେ ପ୍ରଥମେ ଅବପାତର ରୂପ ଓ ପରେ ଗଭୀର ଅବପାତ ରୂପେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଅବପାତ ବାତ୍ୟା ୟାସରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି। କିନ୍ତୁ ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ସଂପର୍କରେ ଯେଉଁ ନକ୍ସା ଜାରି କରାଯାଇଛି, ତାହା ଚୂଡ଼ାନ୍ତ ହୋଇନଥିଲେ ହେଁ, ଏହା ସୂଚାଉଛି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଆଖି ପକାଇଛି ଏବଂ ଭୋଗରାଇ-ତାଳସାରି ପାଖାପାଖି ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ। ତେବେ ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇ ପାଖାପାଖି ୧୨ଘଣ୍ଟା ଉପକୂଳକୁ ଗୁରାଣ୍ଡି ପକାଇବ। ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ଛୁଇଁଥିବ ଏବଂ ମଝିରେ ମଝିରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଝଟ୍‌କା ଦେବ।

ବିଭାଗର ସୂଚନା ଅନୁଯାୟୀ, ଅତି ଭୀଷଣ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏଁ ଅନୁଭୂତ ହେବ। ୟାସ୍ ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ଓ ବେଳେବେଳେ ୧୮୫ରୁ ଉର୍ଦ୍ଧ୍ବ ହୋଇପାରେ ବୋଲି କୁହାଯାଇଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ୟାସ୍ ପ୍ରଭାବ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ୨୬ ତାରିଖରେ ରାଜ୍ୟର ଚାରି ଜିଲ୍ଲା ବିଶେଷତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଅତି ପ୍ରବଳ ବର୍ଷା ହେବ। ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କମିଯିବ। କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Spread the love