ପୁଅର ମାଟ୍ରିକ ପରୀକ୍ଷା ଫଳର ସାନି ମୂଲ୍ୟାୟନ ପାଇଁ କୋଟର ଦ୍ୱାରସ୍ଥ ହେଲେ ବାପା

କଟକ: ନିଜର ସ୍କୁଲ୍‌ କ୍ୟାରିଅର୍‌ରେ ସବୁବେଳେ ୮୫ରୁ ୯୦% ପର୍ଯ୍ୟନ୍ତ ମାର୍କ ରଖି ଆସୁଥିଲେ । କିନ୍ତୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଯେଉଁ ଫଳ ପ୍ରକାଶ ପାଇଛି ସେଥିରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ତେଣୁ ପୁଅର ମାଟ୍ରିକ ପରୀକ୍ଷା ଫଳର ସାନି ମୂଲ୍ୟାୟନ ପାଇଁ ପ୍ରାର୍ଥନା କରି ଝାରସୁଗୁଡ଼ା ଜିଲ୍ଲା ଗହ୍ମାପଲ୍ଲୀ ସରସ୍ୱତୀ ଶିଶୁମନ୍ଦିରର ଛାତ୍ର ଝୁନେଶ ପାରୁଆ ପିତା ନିରାକାର ପାରୁଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତାଙ୍କ ପୁଅ ଏବଂ ଏହିଭଳି ଅନେକ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ମନମାନିର ଶିକାର ହୋଇ କମ୍‌ ମାର୍କ ପାଇଛନ୍ତି । ତେଣୁ ହାଇକୋର୍ଟ ପିଟିସନ୍‌କୁ ଗ୍ରହଣ କରି ସ୍କୁଲ୍‌ ଦ୍ୱାରା ଦିଆଯାଇଥିବା ମାର୍କକୁ ବାତିଲ୍‌ କରିବା ସହ ସାନି ମାର୍କ ଦେବାଲାଗି ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି । ଏଥିରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସଚିବ, ବୋର୍ଡ ସମ୍ପାଦକ, ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି, ଗହ୍ମାପଲ୍ଲୀ ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଶିକ୍ଷକ, ନିକ୍ତିମାଳ ହାଇସ୍କୁଲ୍‌ ପ୍ରଧାନଶିକ୍ଷକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ରୁଜୁ କରିଛନ୍ତି ।

Spread the love