ଏମ୍‌ଏସ୍ ଲ ୟୁନିଭର୍ସିଟିର କୁଳପତି ହେଲେ ପ୍ରଫେସର କମଲଜିତ ସିଂହ

କଟକ : ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର କମଲଜିତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀଲାଲ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ର ସବ ସେକ୍ସନ (୭) ଦ୍ୱାରା ଦିଆଯାଇଥିବା କ୍ଷମତା ପ୍ରୟୋଗରେ ପ୍ରଫେସର ସିଂହଙ୍କୁ ଏମ୍‌ଏସ୍ ଲ ୟୁନିଭର୍ସିଟିର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୪ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି ରାଜ୍ୟପାଳ ଶ୍ରୀ ଲାଲ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଫେସର ସିଂହ ଏବେ ହିମାଚଳ ପ୍ରଦେଶର ବେସରକାରୀ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଥିବା ବେଳେ ସେ ଦୁଇଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି । ସେ ସଫଳତାର ସହିତ ୧୭ ଜଣ ପିଏଚଡି ସ୍କଲାର ଏବଂ ୧୦୦ ଏଲ୍‌ଏଲ୍‌ଏମ୍ ଛାତ୍ରଙ୍କୁ ମାର୍ଗଦର୍ଶନ କରିଛନ୍ତି । ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଆସନ୍ତା ୨୮ ତାରିଖରୁ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଯାଉଛନ୍ତି । ଏହି ଅନୁଷ୍ଠାନକୁ ଏକ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯାଇଛି, ଯାହାର ବିଶ୍ୱବିଦ୍ୟାଳୟର ଗଠିତ ଆଇନ କଲେଜ ବ୍ୟତୀତ ରାଜ୍ୟର ସମସ୍ତ ଆଇନ କଲେଜ ଉପରେ ଅଧିକାର ରହିବ ।

Spread the love