ମଙ୍ଗଳବାର ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଯୋଗଦେବେ। ଏଥିରେ ଉଭେ ଦେଶ ମଧ୍ୟରେ ବିଭିନ୍ନ ପ୍ରକାରର ବ୍ୟବସାୟିକ ସମ୍ବନ୍ଧୀୟ ଆଲୋଚନା ହେବାର ଜଣାପଡିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତିରେ ଉଲ୍ଲେଖ ଅଛି ଯେ, ବହୁମୁଖୀ ଯୋଜନା ସମ୍ବନ୍ଧୀୟ ରାଜିନାମା ତଥା ଆଞ୍ଚଳିକ ଓ ବୈଷୟିକ କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥର ଅଭିବୃଦ୍ଧି କରାଇବାର ସୁଯୋଗ ଥିବାରୁ ଏହି ଭର୍ଚ୍ୟୁଆଲ୍‌ ଶିଖର ବୈଠକକୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଭୟ ନେତା କୋଭିଡ୍‌-୧୯ ସହଯୋଗିତା ଏବଂ ଏହି ମହାମାରୀ ମୁକାବିଲା ନିମନ୍ତେ ବୈଷୟିକ ଉଦ୍ୟମ ସମ୍ବନ୍ଧରେ ଆଲୋଚନା କରିବେ। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏହି ଶିଖର ବୈଠକ ସମୟରେ ୨୦୩୦ ନିମନ୍ତେ ଏକ ସାମଗ୍ରିକ ‘ରୋଡ୍‌ମ୍ୟାପ୍‌’ର ଶୁଭାରମ୍ଭ ହେବ। ଏହାଦ୍ୱାରା ଆଗାମୀ କେତେ ଦଶନ୍ଧି ଧରି ଦୁଇ ଦେଶର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସହଯୋଗ, ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଓ ନିରାପତ୍ତା, ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଏବଂ ସ୍ବାସ୍ଥ୍ୟସେବା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ସହଯୋଗ ପ୍ରଶସ୍ତ ଓ ନିବିଡ଼ ହେବ। ୨୦୦୪ରୁ ଭାରତ ଓ ଇଂଲଣ୍ଡ୍‌ ଏକତ୍ର କାର୍ଯ୍ୟକରି ଅନେକ ଯୋଜନା ନିମନ୍ତେ ସହଯୋଗ ବିକଶିତ କରିଛନ୍ତି। ଅନେକ କ୍ଷେତ୍ରରେ ଉଭୟ ଦେଶ ଉଚ୍ଚସ୍ତରୀୟ ବିନିମୟରେ ଅଂଶଗ୍ରହଣ କରିବା ସହ ବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ କରିଛନ୍ତି।

Spread the love