ପିଏମ କିଷାନ ସମ୍ମାନ ନିଧିର ୮ମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଜରିଆରେ ଦେଶରେ ୯.୫ କୋଟି କୃଷକଙ୍କ ଖାତାକୁ ୮ମ କିସ୍ତିରେ ୨୦,୬୬୭ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଦେଶର ଚାଷୀଙ୍କ ସହିତ କଥାବାର୍ତା କରି ସେମାନଙ୍କ କଥାକୁ ବୁଝିଥିଲେ । ୯.୫ କୋଟି ରୁ ଅଧିକ ଲାଭାର୍ଥ କିଷାନ ପରିବାରର ଖାତାରେ ୧୯,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ରାଜ୍ୟ ମନ୍ତ୍ରୀ ପୁରୁଷୋତମ ରୂପାଲା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏବେ ସୁଦ୍ଧା ୧୧.୮୦ କୋଟି ପଂଜୀକରଣ ହୋଇସାରିଛି । ଏଥିରୁ ୧୦.୮୨ କୋଟି କିଷାନ ପରିବାର ଲାଭ ପ୍ରାପ୍ତ କରିଛନ୍ତି । ଯୋଜନା ଦ୍ୱାରାଏବେ ସୁଦ୍ଧା ୧,୧୬,୨୯୨.୮୮ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ପିଏମ-କିଷାନ ଯୋଜନା ଜରିଆରେ କେନ୍ଦ୍ର ସରକାର ଲାଭାର୍ଥ ଚାଷୀଙ୍କ ପରିବାରର ଖାତାରେ ଗୋଟିଏ ଆର୍ଥିକ ବର୍ଷରେ ମୋଟ ୬ ହଜାର ଟଙ୍କା ଜମା କରୁଛନ୍ତି । ଏଥିପାଇଁ ବର୍ଷରେ ତିନିଥର ୨ ହଜାର ଟଙ୍କା ଲେଖାଏଁ କିସ୍ତି ଜାରି କରାଯାଇଛି । ଏହି ଟଙ୍କା ସିଧାସଳଖ ଲାଭାର୍ଥଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯାଉଛି । ଏହି ଯୋଜନାରେ ଚାଷୀ ପରିବାରଙ୍କୁ ଏବେ ସୁଦ୍ଧା ୧.୧୫ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍‌) ଯୋଜନା ଅନ୍ତର୍ଗତ ୮ମ କିସ୍ତିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ସମେତ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପିଏମ କିଷାନରେ ପଞ୍ଜିକୃତ ରାଜ୍ୟର ସମସ୍ତ ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି । ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା ଅଧୀନରେ ମୋଟ ୮ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ମୋଟ ୩ ହଜାର ୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି । ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ୬୭୧ ଜଣ ଚାଷୀ ମୋଟ ୪୯୪ କୋଟି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ପାଇଥିଲେ । ଏ ନେଇ ଗତ ମାର୍ଚ୍ଚ ମାସ ପହିଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩ ଲକ୍ଷ ୧୨ ହଜାର ୫୩୮ ଚାଷୀ ଅଧିକ । ତେଣୁ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Spread the love