ପ୍ରାୟ ଶହେ ଦିନ ପରେ ପୁଣି କ୍ରିକେଟକୁ ଫେରିବ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ।

କଟକ: ପ୍ରାୟ ଶହେ ଦିନ ପରେ ପୁଣି କ୍ରିକେଟକୁ ଫେରିବ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) । ଆସନ୍ତା ୨୫ ତାରିଖରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି । ବିସିସିଆଇ ଘରୋଇ କ୍ରିକେଟ୍‌ ଖେଳସୂଚୀ ଘୋଷଣା ପରେ ଓସିଏ ମଧ୍ୟ ଏନେଇ ଆଗେଇଛି । ବିସିସିଆଇ ଘରୋଇ ସିଜନ୍‌ର ମାସକ ପୂର୍ବରୁ ସମସ୍ତ ବର୍ଗର ଖେଳ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କରୋନା ଗାଇଡ୍‌ ଲାଇନ୍‌ ଅନୁଯାୟୀ ମାର୍ଚ୍ଚ ମାସ ଠାରୁ ଓସିଏର ସମସ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ଦ ଥିଲା । ଇଣ୍ଟ୍ରା କ୍ଲବ୍‌ ଶେଷ କରି ଅନ୍ତଃଜିଲ୍ଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବାହାରିଥିବା ବେଳେ ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏହା ଭିତରେ ପ୍ରାୟ ଶହେ ଦିନ ବିତିଥିବା ବେଳେ ଏବେ ପୁଣି ଓସିଏ ବାକି ରହିଯାଇଥିବା ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ୨୫ରୁ ସିନିୟର ଓ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା ଟୁର୍ଣ୍ଣାମେଣ୍ଟ୍‌ କଟକ ଓ ଭୁବନେଶ୍ୱରର ବିଭିନ୍ନ ଭେନ୍ୟୁରେ ଖେଳାଯିବ । ୩୭ଟି ଟିମ୍‌କୁ ନେଇ ୬ଟି ଗ୍ରୁପ୍‌ କରାଯାଇଛି । ଗ୍ରୁପ୍‌ ଲିଗ୍‌ରେ ସବୁ ମ୍ୟାଚ ଦିନିକିଆ ଫର୍ମାଟ୍‌ରେ ଅନୁଷ୍ଠିତ ହେବ ।

ସୁପରଲିଗ୍‌ ପର୍ଯ୍ୟାୟରେ ତିନୋଟି ଫର୍ମାଟ୍‌ ଯଥା- ଦିନିକିଆ, ଟି-୨୦ ଓ ଦୁଇଦିନିଆ ମ୍ୟାଚ ଆୟୋଜିତ ହେବ । ଗ୍ରୁପ୍‌ ଲିଗ୍‌ରୁ ଶ୍ରେଷ୍ଠ ୬ଟି ଟିମ୍‌ ସୁପରଲିଗ୍‌କୁ ଉନ୍ନୀତ ହେବେ । ସେହିପରି ଗ୍ରୁପ୍‌ ଲିଗ୍‌ରୁ ବାଦ୍‌ ପଡିଯାଇଥିବା ୩୧ଟି ଟିମ୍‌ ଭିତରୁ ଶ୍ରେଷ୍ଠ ଖେଳାଳି ମାନଙ୍କୁ ନେଇ ଦୁଇଟି ଟିମ୍‌ ଗଠନ କରାଯିବ । ଓଡ଼ିଶା ଏ’ ଓ ବି’ ନାମରେ ଏହି ଦୁଇଟି ଟିମ୍‌ ସୁପର ଲିଗ୍‌ରେ ଟକ୍କର ଦେବ । ଯାହାଦ୍ୱାରା ବ୍ୟକ୍ତିଗତ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯାଇପାରିବ । ଗ୍ରୁପ୍‌ ଲିଗ୍‌ରୁ ବାଦ୍‌ ପଡିଯାଇଥିବା ଟିମ୍‌ରେ ଥିବା ପ୍ରଦର୍ଶନକାରୀ ଏହି ଦଳରେ ସ୍ଥାନ ପାଇବେ ।

ଅନ୍ୟପକ୍ଷରେ ୨୫ ତାରିଖରୁ ଭୁବନେଶ୍ୱରରେ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟ୍‌ରେ ଖେଳାଯିବ । ୧୬ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟ ମଧ୍ୟ ଭୁବନେଶ୍ୱରରେ ୨୫ରୁ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ୩୬ଟି ଟିମ୍‌କୁ ନେଇ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଆଜି ଓସିଏର ଟୁର୍ଣ୍ଣାମେଣ୍ଟ କମିଟି ଓ ଚୟନ କମିଟିର ଏକ ବୈଠକ ବସି ଏ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଖେଳାଳି ଟିକା ନେବାକୁ କୁହାଯାଇଥିବା ବେଳେ ଶିବିରରେ ଯୋଗ ଦେବା ପୂର୍ବରୁ କରୋନା ପରୀକ୍ଷା (ଆର୍‌ଟିପିସିଆର୍‌)କୁ ବାଧ୍ୟତାମୂଳକ କରାଯାଇଥିବା ଓସିଏ ତରଫରୁ ସୂଚନା ଦିଆଯାଇଛି ।

Spread the love