ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, କଲେଜ ପଢ଼ା ବେଳୁ ଉଭୟେ ପରସ୍ପର ସହ ସମ୍ପର୍କରେ ଥିଲେ ।

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ପଛର ଗୁମର ଧୀରେ ଧୀରେ ଖୋଲୁଛି । ପ୍ରେମିକ ତଥା ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ‘ହ୍ୱାଟସ୍‌ ଅପ୍‌ ଚାର୍ଟ’ ଏୟାରଫିଲ୍ଡ ଥାନା ପୁଲିସ୍‌ ହାତରେ ଲାଗିଛି । ଏହାବାଦ୍‌ ଜଗନ୍ନାଥର ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖିଛନ୍ତି । ଯେଉଁଥିରୁ ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁଁ ଜଗନ୍ନାଥ ଏମିତି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି ।

ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ଯେ, ଉଭୟ ଜଗନ୍ନାଥ ଓ ପ୍ରିୟଙ୍କା ବିବାହ ପୂର୍ବରୁ ପରସ୍ପରକୁ ଜାଣିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ଘଟଣା ଘଟାଇଛି । ତା’ର ପ୍ରଥମ ଟାର୍ଗେଟ୍‌ ଥିଲା ମୃତକଙ୍କ ୩ ବର୍ଷର ପୁଅ । ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା । ଡିସିପି ଆହୁରି କହିଛନ୍ତି ଯେ, ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜୋର୍‌ ଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ ।

ପୁଲିସ୍‌ ଆଜି ତଦନ୍ତକୁ ବଢ଼ାଇ ସ୍ୱାମୀ ରାକେଶଙ୍କ ସହ ଘର ମାଲିକ ଓ ରାକେଶଙ୍କ ସହକର୍ମୀଙ୍କ ବୟାନ ରେକର୍ଡ କରାଇଛି । ସେପଟେ ଅଭିଯୁକ୍ତ ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଚିକିତ୍ସା ଚାଲିଛି । ତେବେ ଜଗନ୍ନାଥ ଅବସ୍ଥା ପୁରା ସୁଧୁରିନଥିବାରୁ ହସ୍ପିଟାଲ ଯାଇଥିବା ପୁଲିସ୍‌ ଟିମ୍‌ ତାକୁ ଜେରା ନ କରି ଫେରି ଆସିଛି । ସୁସ୍ଥ ହେବା ପରେ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରିବ । ସେପଟେ ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ୱାମୀ ରାକେଶ ଓ ଶ୍ୱଶୁରଙ୍କ ସହ ପ୍ରିୟଙ୍କାଙ୍କ ଭାଇ କ୍ୟାପିଟାଲ ହସ୍ପିଟାଲରୁ ମୃତଦେହ ନେଇଛନ୍ତି ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, କଲେଜ ପଢ଼ା ବେଳୁ ଉଭୟେ ପରସ୍ପର ସହ ସମ୍ପର୍କରେ ଥିଲେ । ପ୍ରିୟଙ୍କାଙ୍କ ବିବାହ ପରେ ଜଗନ୍ନାଥ ବେଙ୍ଗାଲୁରୁ ପଳାଇଥିଲେ । ଗତବର୍ଷ ଲକ୍‌ଡାଉନ୍‌ରେ ସେ ଘରକୁ ଫେରିଥିଲେ । ପୁଣି ପ୍ରିୟଙ୍କାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଉଭୟେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ । ପୁଣି ସମ୍ପର୍କରେ ତିକ୍ତତା ଯୋଗୁଁ ଝଗଡା ଆରମ୍ଭ ହୋଇଥିଲା । ଗତକାଲି ସବୁ ସୀମା ଲଙ୍ଘିଥିଲେ ଜଗନ୍ନାଥ ।

Spread the love