ଗାଡିରୁ ମିଳିଲା ମହିଳାଙ୍କ ମୃତଦେହ : ଯାଁଳା ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ି ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି । କର୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ । ଅପରପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତଦେହଟି ଜଣେ ମହିଳାଙ୍କର ଓ ତାଙ୍କ ବୟସ ୪୫ ବର୍ଷ ହୋଇପାରେ ବୋଲି ଜଣାପଡିଛି । ମାମଲାର ତଦନ୍ତ କରାଯାଉଛି । ମହିଳାଙ୍କ ପରିଚୟ ସହ ମୃତ୍ୟୁ ପଛର କାରଣ ସମ୍ବନ୍ଧରେ ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି କହିଛନ୍ତି ଡିସିପି ।

ଉଲ୍ଲେଖନୀୟ, ଗତ ୨୦୧୯ ମସିହାରେ ଗଞ୍ଜାମ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥର ଯାଁଳା ଫାଣ୍ଡି ଅଂଚଳରେ ଏକ ଚାରିଚକିଆ ଯାନ(ଏକ୍ସୟୁଭି-୫୦୦) ଜବତ କରିଥିଲା । ଜବତ ଗାଡ଼ିକୁ ଯାଁଳା ଫାଣ୍ଡି ପରିସରରେ ପୋଲିସ ହେପାଜତରେ ଛାଡ଼ି ଯାଇଥିଲା । ଦୀର୍ଘ ୨ ବର୍ଷ କାଳ ପଡ଼ିବା ପରେ ଭଡ଼ା ସୂତ୍ରରେ ଲାଗିଥିବା ସମ୍ପୃକ୍ତ ଗାଡ଼ିକୁ ମାଲିକ କୋର୍ଟରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ । ଗତ ୮ ତାରିଖ ଦିନ ଏହି ଗାଡ଼ି ନେବା ପାଇଁ କୋର୍ଟ ଆଦେଶ ଧରି ସେ ଫାଣ୍ଡିକୁ ଆସିଥିଲେ । ଗାଡ଼ିଟି ଖୋଲା ରହିବା ସହ ପଛରେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା । ଏ ନେଇ ସେ ପୋଲିସକୁ ଖବର ଦେବା ପରେ ତନାଘନା ହୋଇଥିଲା । ଆଜି ସକାଳେ ଡିସିପି ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ କର୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଥିଲେ ।

Spread the love