କୋଭିଡ୍-୧୯ ସ୍ଥିତି ନେଇ ଆଜି କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର କୋଭିଡ୍‌-୧୯ ପରିସ୍ଥିତିର ସମୀକ୍ଷା ଏବଂ କରୋନଭାଇସ୍‌ ସଂକ୍ରମଣ ଶୃଙ୍ଖଳ ଦମନ ପାଇଁ ଅନ୍ୟ କେଉଁ ସବୁ ପଦକ୍ଷେପ ଗ୍ରହଣ କରି ହେବ ସେ ପ୍ରସଙ୍ଗରେ ଆଲୋଚନା କରାଯିବା ନିମନ୍ତେ ଆଜି ଆୟୋଜନ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ବୈଠକ ବସିବ। ମହାମାରୀ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନେକରାଯାଉଛି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ମନ୍ତ୍ରୀ ପରିଷଦ୍ ବୈଠକ ବସିବ। ସେହିପରି ଗତ ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍‌’ ଜେନେରାଲ୍‌ ଏମ୍ଏମ୍‌ ନରୱଣେଙ୍କୁ ଭେଟି କୋଭିଡ୍‌-୧୯ର ପ୍ରସ୍ତୁତି ଏବଂ ସେନାବାହିନୀର ପଦକ୍ଷେପ କଥା ସମୀକ୍ଷା କରିଥିଲେ। ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କୋଭିଡ୍‌ ପରିଚାଳନାରେ ସହାୟ ହେବା ଲାଗି ସେନା ଗ୍ରହଣ କରୁଥିବା କେତେକ ପଦକ୍ଷେପ ସଂପର୍କରେ ସେମାନେ ଆଲୋଚନା କରିଛନ୍ତି। ସୂଚନା ଯେ, ଦେଶରେ କରୋନାଭାଇସ୍‌ ସଂକ୍ରମଣର ଦ୍ଵିତୀୟ ପ୍ରବାହ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ପରିଚାଳନା ନିମନ୍ତେ ଅନ୍ୟୂନ ୨୧ଟି ଆନୁଷ୍ଠାନିକ ବୈଠକରେ ଯୋଗ ଦେଇ ସାରିଲେଣି। ସେଥିରୁ ଅଧିକାଂଶ ବୈଠକ ଗତ ଦୁଇ ସପ୍ତାହ ମଧ୍ୟରେ ବସିଛି।

Spread the love