ଦେଶରେ ଅକ୍ସିଜେନ୍ ଉପଲବ୍ଧତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଯଥେଷ୍ଟ ମାତ୍ରାରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ, ଡିପିଆଇଆଇଟି, ଇସ୍ପାତ, ସଡ଼କ ପରିବହନ ଆଦି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅକ୍ସିଜେନ ଯୋଗାଣର ବର୍ତମାନ ସ୍ଥିତି ସହିତ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ୧୨ଟି ଅଧିକ ସଂକ୍ରମଣ ଥିବା ରାଜ୍ୟ (ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନ)ରେ ଏହାର ଆନୁମାନିକ ଉପଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହିସବୁ ରାଜ୍ୟରେ ଜିଲ୍ଲାସ୍ତରୀୟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହିଛି ଏବଂ ଆନୁମାନିକ ଚାହିଦାର ବିବରଣୀ ୨୦ ଏପ୍ରିଲ, ୨୫ ଏପ୍ରିଲ ଓ ୩୦ ଏପ୍ରିଲରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି । ତଦନୁସାରେ ୨୦, ୨୫ ଏବଂ ୩୦ ଏପ୍ରିଲରେ ଆନୁମାନିକ ଚାହିଦା ପୂରଣ କରିବା ଲାଗି ଏହି ରାଜ୍ୟଗୁଡ଼ିକୁ ଯଥାକ୍ରମେ ୪୮୮୦ ମେଟ୍ରିକ ଟନ, ୫୬୧୯ ମେଟ୍ରିକ ଟନ ଓ ୬୫୯୩ ମେଟ୍ରିକ ଟନ ଅକ୍ସିଜେନ୍ ଆବଂଟନ କରାଯାଇଛି । ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବା ଲାଗି ଦେଶର ଉତ୍ପାଦନ କ୍ଷମତା ବଢ଼ାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପ୍ଲାଂଟର କ୍ଷମତା ଅନୁସାରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ, ଷ୍ଟିଲ ପ୍ଳାଂଟରେ ବ୍ୟବହୃତ ଅକ୍ସିଜେନର ବଳକା ଭାଗ ଚିକିତ୍ସା ଉପଯୋଗ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ସାରା ଦେଶରେ ଅକ୍ସିଜେନ ପରିବହନ କରୁଥିବା ଟ୍ୟାଙ୍କରଗୁଡ଼ିକର ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା । ସରକାର ଅକ୍ସିଜେନ ଟ୍ୟାଙ୍କରଗୁଡ଼ିକ ସବୁପ୍ରକାରର ଆନ୍ତଃରାଜ୍ୟ ଯାତାୟାତ ପାଇଁ ପରମିଟ ପଞ୍ଜୀକରଣ କରିବାରୁ ଛାଡ଼ କରିଛନ୍ତି । ଯାହାଫଳରେ ଏଗୁଡ଼ିକର ଯାତାୟାତ ସୁଗମ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଶିଫ୍ଟରେ କାମ କରୁଥିବା ଡ୍ରାଇଭରମାନଙ୍କ ସହିତ ଟ୍ୟାଙ୍କର ଦ୍ରୁତ ଗତିରେ ୨୪ ଘଂଟା ଚାଲିବା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ସକାଶେ ରାଜ୍ୟ ଓ ଟ୍ରାନ୍ସପୋର୍ଟରମାନଙ୍କୁ କୁହାଯାଇଛି । ଯାହାଫଳରେ ଏଗୁଡ଼ିକ ଶୀଘ୍ର ପହଂଚି ପାରିବେ ଓ ଚାହିଦାରେ ହେଉଥିବା ବୃଦ୍ଧିକୁ ସୁନିଶ୍ଚିତ କରିପାରିବେ । ସିଲିଣ୍ଡର ଭରୁଥିବା ପ୍ଲାଂଟଗୁଡ଼ିକୁ ମଧ୍ୟ ଆବଶ୍ୟକ ସୁରକ୍ଷା ଉପାୟ ସହିତ ୨୪ ଘଂଟା କାମ କରିବା ଲାଗି ଅନୁମତି ଦିଆଯିବ । ସରକାର ଶିଳ୍ପ ସିଲିଣ୍ଡରଗୁଡ଼ିକୁ ଉଚିତ ଉପାୟରେ ବିଶୋଧନ କରିବା ପରେ ଚିକିତ୍ସା ଅକ୍ସିଜେନ ଲାଗି ଉପଯୋଗ କରିବା ନିମନ୍ତେ ଅନୁମତି ଦେଉଛନ୍ତି । ସେହିପରି ଟ୍ୟାଙ୍କରଗୁଡ଼ିକର ସମ୍ଭାବ୍ୟ ଅଭାବକୁ ଦୂର କରିବା ଲାଗି ନାଇଟ୍ରୋଜେନ ଓ ଆର୍ଗନ ଟ୍ୟାଙ୍କରଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଅକ୍ସିଜେନ ଟ୍ୟାଙ୍କର ଭାବେ ପରିବର୍ତିତ କରିବା ଲାଗି ଅନୁମତି ଦିଆଯିବ । ମେଡ଼ିକାଲ ଗ୍ରେଡ ଅକ୍ସିଜେନ୍ ଆମଦାନୀ କରିବା ଲାଗି କରାଯାଉଥିବା ପ୍ରୟାସ ବିଷୟରେ ମଧ୍ୟ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

Spread the love