ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ। ଏନେଇ ଆପୋଲୋ ହସ୍ପିଟାଲ ଲୋକ ସମ୍ପର୍କ ଅଧିକାରୀ ରାକେଶ ରାୟ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଯେ, ଗତ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ତୁରନ୍ତ ସମର୍ଥକମାନେ ତାଙ୍କୁ ନେଇ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଲେଖିଛନ୍ତି,  ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

Spread the love