ପିପିଲି ଉପନିର୍ବାଚନ : ବିଜେଡ଼ିଙ୍କ ସମେତ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ସମେତ ୪ ଜଣ ପ୍ରାର୍ଥୀ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ମଧ୍ୟାହ୍ନରେ ଏଡିଏମଙ୍କ କାର୍ଯ୍ୟାଳୟରେ ପହଂଚି ରିଟର୍ଣ୍ଣି ଅଫିସର ପ୍ରଦୀପ କୁମାର ସାହୁଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡ଼ି ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ବିଜେଡ଼ି ଯୁବନେତା ବ୍ୟୋମକେଶ ରାୟ, ରୁଦ୍ରଙ୍କ ଭିଣୋଇ ଅର୍ଦ୍ଧେନ୍ଦୁ ଦାଶ, ଭଉଣୀ ପଲ୍ଲବୀ ମହାରଥି, ଯୁବନେତା ଶୁଭାଶିଷ ଖୁଂଟିଆ, ସୁନିଲ ମହାନ୍ତି, ଏବଂ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ସିପିଆଇଏମଏଲ ପ୍ରାର୍ଥୀ ଅଶୋକ ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଏବଂ ସ୍ୱାଧିନ ପ୍ରାର୍ଥୀ ଭାବେ ସମ୍ବିତ ପଟ୍ଟନାୟକ ମଧ୍ୟ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଥାଉକି, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗତ ୨୬ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସୂଚନା ଯେ, ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ପିପିଲି ପାର୍ଟି ଅଫିସ୍ ନିକଟରୁ ପୁରୀ ଅଭିମୁଖେ ବାହାରିଥିଲା । ରାଲିରେ ଏକ ଖୋଲା ଚାରିଚକିଆରେ ରୁଦ୍ର ପିପିଲିରୁ ବାହାରିଥିଲେ । ତାଙ୍କୁ ପିପିଲି, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ସାତଶଙ୍ଖ ଓ ଅଠରନଳା ଠାରେ ଦଳୀୟ କର୍ମକର୍ତା, ପ୍ରଶଂସକ ଓ ଶୁଭେଚ୍ଛୁ ମାନେ ରାସ୍ତା କଡ଼ରେ ଛିଡା ହୋଇ ହାତ ହଲାଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ରୁଦ୍ର ମଧ୍ୟ ଅତ୍ୟନ୍ତ ବିନମ୍ର ଭାବେ କରହସ୍ତ ଯୋଡ଼ି ଶୁଭେଚ୍ଛଙ୍କୁୁ ପ୍ରଣିପାତ କରୁଥିବା ଦେଖିବାକୁ ମିଳିଥିଲା । ମହିଳା କର୍ମୀ ମାନେ ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ । ରୁଦ୍ରଙ୍କ ଏହି ରାଲି ବିରୋଧୀଙ୍କୁ କିଛି ମାତ୍ରା ହତୋତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସମର୍ଥକ ମାନେ ରୁଦ୍ରଙ୍କ ଏହି ଶୋଭାଯାତ୍ରାକୁ ଦେଖି ଦିବଂଗତ ରାଜନେତା ତଥା ତାଙ୍କ ପିତା ପ୍ରଦୀପ ମହାରଥିଙ୍କୁ ମନେ ପକାଇଥିବା ପରିଲକ୍ଷିତ ହୋଇଥିଲା ।

Spread the love