ତୃତୀୟ ପର୍ଯ୍ୟାୟ ଟୀକାକରଣ : ଆଜିଠୁ ଅନଲାଇନ ରେଜିଷ୍ଟ୍ରେସନ, କୋୱିନ ପୋଟାଲକୁ ଯାଇ କରିବେ ପଞ୍ଜୀକରଣ

ଭୁବନେଶ୍ୱର : ଆସନ୍ତା ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଆଜିଠାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ପଞ୍ଜୀକରଣ । ରାଜ୍ୟରେ ୨ କୋଟି ଓ ସାରା ଦେଶରେ ୬୫ କୋଟି ଲୋକ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଅଛନ୍ତି । ତେବେ ରାଜ୍ୟରେ ଟିକା ଅଭାବ କାରଣରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ହୋଇପାରେ ।

ଏଥିପାଇଁ କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ । କୋ-ଓ୍ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ନିମନ୍ତେ ପ୍ରଥମେ cowin.gov.inକୁ ଯାଆନ୍ତୁ । ସେଠାରେ ରେଜିଷ୍ଟର୍ ବଟନ୍‌ରେ କ୍ଲିକ୍ କରି ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ । ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନ୍‌ରେ କ୍ଲିକ୍ କରନ୍ତୁ। ଏହାପରେ ଟିକା ପଞ୍ଜିକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ସୂଚନା ଦିଅନ୍ତୁ। ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନ୍‌ରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜିକରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନ୍‌ରେ କ୍ଲିକ୍ କରନ୍ତୁ। ଟିକା ନେବା ପାଇଁ ପଞ୍ଜୀକରଣ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କିନ୍ତୁ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Spread the love