ପେଟ୍ରୋଲ ଲିଟର ପ୍ରତି ୧୯ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ୱେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ପୁଣି ମହଙ୍ଗା ହୋଇଛି । ପବ୍ଲିକ ସେକ୍ଟରରେ ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୁଇ ଦିନ ପରେ ଯଥାକ୍ରମେ ଲିଟର ପିଛା୧୯ ପଇସା ଏବଂ ୨୯ ପଇସା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସହିତ ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୩ ଟଙ୍କା ଅତିକ୍ରମ କରିଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ୪ ମହାନଗରୀ ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୩.୦୪, ୯୯.୩୪, ୯୪.୭୧ ଏବଂ ୯୩.୧୧ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଡିଜେଲ ମଧ୍ୟ ଏହି ୪ ମହାନଗରୀରେ ଯଥାକ୍ରମେ ଲିଟର ପିଛା ୮୩.୮୦, ୯୧.୦୧, ୮୮.୬୨ ଏବଂ ୮୬.୬୪ ଟଙ୍କା ରହିଛି । ଉଲ୍ଲେଖନୀୟ ଯେ, ଗତ ୨୪ ଦିନରେ ପେଟ୍ରୋଲ ୨.୬୯ ଟଙ୍କା ପ୍ରତି ଲିଟର ପିଛା ବଢ଼ିଥିବା ବେଳେ ଗତ ୧୨ ଦିନରେ ଡିଜେଲ ୩.୦୭ ଟଙ୍କା ପ୍ରତି ଲିଟର ପିଛି ବୃଦ୍ଧି ଘଟିଥିଲା । ତେବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଗୋଟିଏ ଦିନ ପୂର୍ବରୁ କାରବାର ଶେଷରେ ବ୍ୟାରେଲ ପିଛା ୬୫.୧୧ ଡଲାରକୁ ଖସି ଆସିଛି ।

Spread the love