ପିପିଲି ଉପ-ନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ

ଭୁବନେଶ୍ଵର : ପିପିଲି ଉପ-ନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ ୧୩ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୧୬ରେ ଫଳାଫଳ ଘୋଷଣା ହେବ । ଏନେଇ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୦-ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ଏପ୍ରିଲ୍‌ ୧୯(ସୋମବାର)ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମନୋନୟନ ପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ୍‌ ୨୬(ସୋମବାର)ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଥିବାବେଳେ ଏପ୍ରିଲ୍‌ ୨୭(ମଙ୍ଗଳବାର) ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଏପ୍ରିଲ୍‌ ୨୯(ଗୁରୁବାର)ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ମେ’ ୧୩(ଗୁରୁବାର)ରେ ଭୋଟ ଗ୍ରହଣ କରାଯିବ ଏବଂ ମେ ୧୬ରେ ଭୋଟ୍ ଗଣତି ହେବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ।

ତେବେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ଅଜିତଙ୍କ ସ୍ତ୍ରୀ ବନ୍ଦନା କିମ୍ବା ପରିବାର ସଦସ୍ୟ ଆଉ କାହାକୁ କଂଗ୍ରେସ ଦଳ ଟିକଟ ଦେବ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ କଂଗ୍ରେସ ଦଳ ପିପିଲି ଉପନିର୍ବାଚନ ପାଇଁ ଅଜିତ୍‌ଙ୍କ ପରିବାର ବ୍ୟତୀତ ଆଉ କାହା ଉପରେ ନିର୍ଭର କରି ଟିକଟ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପତାପ ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସୂଚନା ଯେ, ଏପ୍ରିଲ ୧୭ରେ ପିପିଲି ଉପ-ନିର୍ବାଚନ ହେବାର ଥିଲା। ମାତ୍ର ଏହାର ତିନି ଦିନ ପୂର୍ବରୁ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଘଟିଥିଲା। ଫଳରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଥିଲା। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ସ୍ଥିର କରିଛନ୍ତି। ସାନି ତାରିଖ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

Spread the love